Unknown

 

 

 

 

 

 

 

 

 

ମଧୁରେଖା

ଲକ୍ଷ୍ମୀନାରାୟଣ ସାହୁ

 

ପରାଣର ବ୍ୟଥା ଯେ ଜାଣେ ସେ ପରମଆତ୍ମୀୟ

ତାହାରେ ଲଭି ଜୀବନ ଭବେ ଶାନ୍ତିର ନିଳୟ ।

ଦେଖାତ ସେ ଦିନ ମାତର

ମନେ ହୁଏ ଯେତେ ବହୁ ଜନମର

 

ସାଥୀ ପରା ସେ ମୋହର ।

ମେଘ ଛାଇ ଯାଏ ଯେବେ ଆକାଶେ

ଗଗନର ଦୀପ ଲୁଚି ଯାଏଁ କେଉଁ ଦିଶେ ।

ଧରା ରାଣୀ ବଦନେ ବିଷାଦ ଛାୟା

 

ଘେରି ବୁଲେ ଯେହ୍ନେ ଏ କି ମାୟା ।

ଫିଟିଯାଏ ପୁଣି ସୂର୍ଯ୍ୟ ଆଲୋକ ଆସେ

ମନ ମୋହର ତହିଁ ସୁଖେ ଦୁଃଖେ ଭାସେ

ଏହିପରି ବୁଲି ବୁଲି ମହୀ

 

ଯାଉଥାଏଁ ଯେବେ ଅଜଣା ପଥେ

ଉଦେ ହୁଅନ୍ତି ଯେହୁ ଅରୁଣ ରଥେ

ନମସ୍କାର ନମସ୍କାର ନମସ୍କାର ତାହାରେ

କିଛି ନୋହୁ ପଛେ ସେ ଅଛନ୍ତି ରେ !

 

ମାନବର କେତେ ଆଶା କେତେ ଭରସା

ମୁହୂର୍ତ୍ତକେ ହୁଏ ଚୂନା

କିଏ କହିବ କିପରି କି ହୁଏ ନ ଯାଏତ

କେତେବେଳେ ଏହା ଜଣା ।

 

ଗତି ବିଧି ଜଗତର ପରିବର୍ତ୍ତନ ହୁଏ ବାର ବାର

କିପାଇଁ କିପରି ହୁଏ ଏହି ସବୁ କଥା ନ ଜାଣେ ଭଲେ

ନ ଜାଣଇ କେହି ହେଲେ

ସମସ୍ତେ ଅନ୍ଧାରେ ବୁଲୁଛୁଁ ସିନା, ତାଙ୍କରି ଆଶୀର୍ବାଦ ବିନା

 

କିଛି ନାହିଁ କାହାର, ମାନବ ! ବୃଥା ଗର୍ବ ପରିହର ।

ନେଇଯାଅ ମୋତେ ପ୍ରଭୁ ତୁମ ଇଚ୍ଛାମତେ,

ଏତିକି ମୁହିଁ ଅନୁଭବେ

ଏତିକି ମୁହିଁ ଜାଣେ ଗରବେ ।

 

ନେଇଯାଅ ସାଥେ ସାଥେ ତୁମେ ଯହିଁ ଇଚ୍ଛ ମୋତେ

ମୁଁ ତ ବୁଝୁଛି ତୁମେ ଅଛ ସବୁ ଠାଇଁ

ବୁଝିଛି ବୁଝିଛି ପରା ଅନୁଭବଇଁ ।

କିଛିତ ନ ଯାଏ ଜଣା ଏ କି ଭବ ଘୋରେ ବଣା

 

ଯାହାର ଯହିଁକି ତାହାର ତହିଁକି

ଯୋଖାଉଛନ୍ତି ପ୍ରଭୁ ବାନା ।

ସଂସାର ପଥେ କାହାର ସାଥେ ବୁଲିବି ମୁହିଁ

ଯାହାର ସାଥେ ବୁଲେଁ ପଛେଁ

 

ସକଳ ଅନ୍ତରେ ଅଛଇ ସେହି ।

ମୁଁ କି ଚାହେଁ ଧନ ଗରବ ? ନାହିଁ ନାହିଁ ,

ମୋର ତହିଁ କିଛି ଲୋଡ଼ା

ଅନେକ ଲୋକେ ଅନେକ କଥା ଚାହାନ୍ତି

 

ସତେ ମୁଁ ଚାହେଁ କିଞ୍ଚିତେ ଦିଅ ମୋତେ ଥୋଡ଼ା ଥୋଡ଼ା ।

ଚାହେଁ ମୁଁ ପ୍ରିୟ ସଖା ସଖୀ ଦୁଇ ଚାରିଜଣ

ରଖିବେ ମୋତେ ତାଙ୍କ ସାଥେ ପ୍ରିୟ କରିଣ ।

ସ୍ନେହରେ ଭୋଳିବି ଯେହ୍ନେ ସଦା ତାଙ୍କ ସନେ

 

ଏତିକି କରୁଣା ପାଇଲେ ମୁହିଁ ଧନ୍ୟ ହେବି ଜାଣେଁ ।

ଗଭୀର ଯେ କଥା ଗଭୀର ଯେ ପ୍ରେମ

ଭାଷାରେ ତା ନ ଦିଏ ଧରା କଥାରେ ନୁହେଁ କ୍ଷେମ

ନୀରବ ନିଭୃତେ ଉତ୍ସ ଉଠେ ଉଚ୍ଛ୍ୱସି

 

ପ୍ରକାଶ ତାହାର ଗଙ୍ଗା ଯମୁନା

କେଉଁ କୈଳାସ ତୀର୍ଥେ କେଉଁ

ହିମାଳୟ ଅବସଥେ

ଗଭୀର ତାହା ମାତ୍ର ଜଣା

 

ପ୍ରେମ ଯହିଁ ନିଗୂଢ଼ ଭାଷା ତହିଁ ମୂଢ଼

ଭାଷା ନାହିଁ ତାହାପାଇଁ

ଅନନ୍ତ ଆକାଶ କେନ୍ଦ୍ରେ ମୁରଜ ମନ୍ଦ୍ରେ

କେ ଜାଣେ କେ ଅଛଇ ।

 

ଅଛଇ ସେହି ଅତି ଗଭୀରେ ଅତି ଦୂରେ

ଜାଣଇଁ ମୁହିଁ ଛୁଇଁ ନ ପାରେଁ ଛୁଏଁ ବା ଗଭୀରେ

ସାଗରର ମଣି ଶଯ୍ୟା ତଳେ ଅନ୍ତରର ଭୋଳେ

ସ୍ଥିର ହୋଇ ରହିଛନ୍ତି ସେହି ।

 

ଉପରେ ତାହାର ଉଚ୍ଛ୍ୱାସ ଚିର ନିଶ୍ୱାସ

ପରଶେ ମାନବ ତାହାକୁ ପାଇ

ପ୍ରେମରେ ପ୍ରେମରେ ବହୁ ଦୂରେ

ଦୂରେ ରହି କେତେ ପ୍ରେମେ ବନ୍ଧା

 

ଅରୁଣ ଉଠିଲେ ପଙ୍କଜ

ଫୁଟଇ କିଏ କରିବ ନିନ୍ଦା ।

ସ୍ୱାତୀ ନକ୍ଷତ୍ର ଜଳ ପିଇବାପାଇଁ

ଚାତକ ପରା ଶୁଷ୍କକଣ୍ଠେ ବସିଥାଇ

 

ଦୂରୁ ଦୂରୁ ପ୍ରେମ ପରଶ, ମହତ ଉଦାର ଆଦରଶ

ଗଭୀରେ ଗଭୀରେ ଦୂରେ ଦୂରେ ରହି ପୁଣି ପରଶ ।

ସେହି ମୋର ହୋଇଛି ଭାବନା

କିପରି ଛୁଇଁବି ମଣିରତ୍ନ ସୁନା

 

ଅଛି ଯାହା ସାଗର ବେଦୀ ତଳେ

କିପରି ଛୁଇଁବି ବିଶ୍ୱର କେନ୍ଦ୍ର

ମନର ଗଭୀର ପୁରେ

ଯହିଁ ସତେ ପ୍ରେମର ପରଶ ମିଳେ ।

 

ମିଳନର ସୁଖ ମିଳନର ଆଶୀର୍ବାଦ

ମିଳନେ ମିଳନେ ଦେଶ-ପ୍ରାଣ ଜାଣେ

ଜାତି ପ୍ରାଣ ଜାଣେ ।

ମିଳନର ଅଭାବେ ଜାତି ପ୍ରାଣ ଭବେ

 

ଶୁଖିଯାଏ ଶୁଖିଯଏ ସିନା ।

ଓଡ଼ିଆ ଭାଇ ମିଳିତ ହୋଇ ହୁଅ ଏକ ମନ ଏକ ପ୍ରାଣ

ନୁହ ଆନ ମନା

ଅଛି କି ବିଭବ ଅଛି କି ସମ୍ଭବ ଓଡ଼ିଆ ପୁଣି

 

ବୋଇତ ନେବ ସାଗର ପାରି

ଆଶାତରୁ ସିନା ହୋଇଛି ଛିନ୍ନ, ଓଡ଼ିଆ ହୋଇଛି ଭିନ୍ନ ଭିନ୍ନ

ପୁଣି ସେ କେବେ ଯିବ ସମ୍ପଦେ ଭରି ।

ଦେଖ ଆନ ଆନ ଜାତି

 

ମିଳି ମିଶି କେତେ ରହନ୍ତି

କାମ କରନ୍ତି ସନ୍ତତ ଜାତିର ପାଇଁ

ଧନ ମନ ଦେଇ

ଆମେ ଖାଲି ଭାଇ ତୁଚ୍ଛ ହୋଇ

 

ନାମ ଅର୍ଜିବାରେ ଈର୍ଷିତ ହୋଇ

ଯାଉଛୁଁ ଛିଡ଼ି ବଡ଼ ହେବା କହ କାହାକୁ ନେଇ ।

ଜାଗ ଭଲା ଥରେ ଓଡ଼ିଆ ଭାଇ ରେ

ସେବା କର ଦେଶ ଭାଇରେ

 

ଉଠାଅ ଏ ଜାତିକୁ ମହତ ଶିଖରେ

ଯହିଁ ବାରଦ ସଞ୍ଚରେ ।

ସେହିଠାରୁ ବର୍ଷ ଅମୃତଧାରା

ଜାତି ପୁଣି ଉଠୁ ହୋଇ ସମ୍ପଦେ ଭରା ।

 

ପିଲା ଦିନର ସାଙ୍ଗ, ପିଲା ଦିନର ସାଙ୍ଗ

ଖେଳୁଥିଲେ ନାନାରଙ୍ଗ

କନକଲତା କଳପତରୁ ସଙ୍ଗେ

କଳପତରୁ କନକଲତା ରଙ୍ଗେ

 

ଖେଳୁଥିଲେ ପଡ଼ୁଥିଲେ ଏକ ସଙ୍ଗେ ନାନା ରଙ୍ଗେ

ଧୀର ପାଟଣା ଗ୍ରାମଟି ତାଙ୍କର

ଦୈବ ଏବେ ଘେନିଗଲା କେଉଁ ପୁର ।

ପିଲା ପିଲାଟି କାଟିଲେ ବାଳୁତ କାଳ

 

ବିବାହ ବୟସ ଆସି ହେଲା

କନକ ଯିବ ଶାଶୁଘର

ନାୟକ ଝିଅଟି ପରା ଅତି ସୁନ୍ଦରୀ

ସ୍ନେହରେ ଭରି

 

ପୁଅଟିତ ତେଲି ଘର ତା ସଙ୍ଗେ ବିବାହ

ହୋଇବ କିପରି ।

ବୁଝିଛି ଯୁବକ ରସର କଥା

ସେ ପୁଣି ତାର କନକ ଲତା

 

କନକ ପୁଣି ବୁଝିଛି କିଛି କିଛି ।

ତେଣୁ ପାଞ୍ଚ କରି ତେଲି ଘର ପୁଅ ତାକୁ ନେଲା କଲିକତା

କନକ ଚଳିଲା ଜୀବନ ମୁରୁଛି

ଧନବନ୍ତ ପୁଅ ତେଲି ଘର ପୁଅ

 

ରହିଲେ ଦୂର ଦେଶେ ପ୍ରେମ ପରସ୍ପରେ କରି ନିଅ ନିଅ ।

ଦେଶକୁ ଫେରିଲେ କିଛି କାଳ ପରେ

ରହିଲେ ସାଙ୍ଗରେ ଅଲଗା ଘରେ ।

ତେଲି ଘର ପୁଅ ନାୟକ ଝିଅ ପ୍ରେମରେ ରସିଛନ୍ତି

 

ଏହା କିଏ କେଉଁ କାଳରେ ସହିବ ରେ ।

ଅସହ୍ୟ ହେଲା ତେଣୁ ବସ ବାସ ତାଙ୍କର

ଦିନେ ପାଞ୍ଚ କଲେ ଏଇଠି ଜୀବନ ହାରି

ଦୁହେଁ ଯିବା ମରଣ ସେ ପାର ।

 

ଝୁଲିଲେ ତହୁଁ ବରଗଛ ଡ଼ାଳେ ଦଉଡ଼ି ଲଗାଇ

ପରସ୍ପରେ କେତେ ଘେନାଇ ଘେନାଇ

ହୋଇଗଲା ଦୁଇ ଶରୀର ଏକ

ପ୍ରାଣ ବାହାରିଗଲା ଗଳାରେ ଫାଶି ନେଇଛନ୍ତି ଭେକ ।

 

ସକାଳୁ ଆସି ଲୋକ ଜମା ହେଲେ

ପ୍ରେମିକ ପ୍ରେମିକା ଦୁହେଁ

ଖତେଇ କହୁଛନ୍ତି ଦେଖ ରେ ଦେଖ ।

ରୂପର ସାଗରେ ରେଖାର ପାରେ ଅଛଇ ଅଲେଖ

 

ଅନ୍ତର ଭିତରେ ପଶିଣ ଗଭୀରେ ତାହାଙ୍କୁ ନିରେଖ ।

କିଏ ସେ କିଛି ଜଣା ନାହିଁ

ସେହି କିନ୍ତୁ ସକଳର ସାଇଁ

ସବୁ ଗଛର ଅଛଇ ଚେର

 

ସବୁ ଅନ୍ତର ଅଛନ୍ତି ଈଶ୍ୱର

ଜୀବନ ଭିତରେ ପ୍ରଭେଦ ମଧ୍ୟରେ

ରସରାଜ ବସି ରହନ୍ତି ତହିଁ ରେ

ତାହାଙ୍କୁ କରିବ ଭିନ୍ନ ଏହା କି କେବେ ହେବ

 

ପ୍ରେମର ପିତୁଳା ରସରେ ଭରା ନୋହିବ ତହିଁରେ କେବେ ଅଭାବ !

ରସ ଆସ୍ୱାଦନ ପାଇଁ

କବି ଶିଳ୍ପୀ ଯେତେ ଭାଇ

ଧାଇଁଛନ୍ତି ଜୀବନ ଭରି ପାଇବେ ପୂରି

 

ରସିବେ ରସରାଜ ସହ ଆପଣା ମନ ଭରି ।

କବି ସେଥିପାଇଁ ଧାଏଁ ଅନ୍ତରେ ବାହାରେ

ଖୋଜି ବୁଲେ ଅମୃତ ନିଖିଳେ ନିଖିଳେ ।

ରୂପସୀ ଉର୍ବଶୀ ଚିତ୍ରାଙ୍ଗଦା ମେନକା

 

କବି ଶିଳ୍ପୀ ସଂଯୋଗେ ଏ ସବୁ ଜୀବନ୍ତ ଏକା

କୋଣାରକ ଆଦି ଭାସ୍କର୍ଯ୍ୟ ଆଜ

ଅଦ୍‌ଭୁତ ସେହି କବି ଶିଳ୍ପୀର ଜୀବନ ନିଜ

ସେ ଯେ ତାର ଚିର ଜୀବନର ସାଧନା ସଜ ।

 

ନିଜର ରୂପ ନିଜେ କେବେ ଦେଖି ପାରିଲି ନାହିଁ

ଦର୍ପଣେ ଯାହା ଦେଖିଲି ମୁହିଁ ।

ସେତ ନିଜର ରୂପ ଅନୁରୂପ

ନୁହେଁ ତାହା ପୁଣି ଅବିକଳ ଅନୁରୂପ ।

 

ଡାହାଣ ହାତଟି ମୋର ହୋଇଯାଏ ଦର୍ପଣେ ବାମହାତ ପରା

ଡାହାଣ ଚକ୍ଷୁଟି ମୋହର ସେହିପରି ହୁଏ ଦକ୍ଷିଣେ ତରା ।

ସବୁ ଏହିପରି ବିପରୀତ କେହି ନ ଦିଅଇ ଧରା

ମୁଁ ନିଜକୁ ନ ଦେଖିଲି କେବେ ହେଲେ ପୂରା

 

ଆଉ ଚିହ୍ନିବି କାହାକୁ ଜଗତେ କିପରି

ମୋହରେ ମୁହିଁ ଚିହ୍ନି ଯେବେ ନ ପାରି ।

ତଥାପି ଅଛଇ ଏତିକି ବିଶ୍ୱାସ

ପ୍ରିୟତମ ମୋର ପକାଏ ଯେବେ ମୋ ଉପରେ ପ୍ରେମର ନିଶ୍ୱାସ

 

ସବୁ ଦେଖି ନିଏ ସେ ମୋହର

ସେ କହେ ଯାହା ପୂର୍ଣ୍ଣ ସତ୍ୟ ତାହା ମୋଠାର ।

ସେହିପରି ପ୍ରିୟତମର ରୂପ ମୁଁ ଦେଖେଁ ଭାରି

ପ୍ରିୟତମ ଜାଣେ ମୋଠାରୁ ତାଠାରୁ ସତ୍ୟ କିପରି ।

 

ପ୍ରିୟ ପରସ୍ପରେ ଦିଅନ୍ତି ପରସ୍ପରେଁ ଧରା

ମୋହନ୍ତି ପରସ୍ପରେ କହନ୍ତି କଥା ଅପାରା ।

ଦିବସ ଯାମିନୀ ତେଣୁ ପ୍ରିୟତମ ମୋର ପାଶେ ଥାଉ

ଏହି ପ୍ରାର୍ଥନା କରଇ ମୁହିଁ ସକଳଠାରେ

 

ଯେ ଯାହାର ପ୍ରିୟତମ ସେ ତାହାଠାରେ ଚିରଦିନ ରହୁ ।

ଦେବୋପମ ନର ତୁମ୍ଭେ ବିଧାତାଙ୍କ ଆଶୀର୍ବାଦ ଯେ

ଧନ୍ୟ ହେବ ଧରଣୀ ପୁଣ୍ୟ ଜନେ ଯେବେ ହେବ ଭରଣି ।

ମନେ ହୁଏ ସଖା ତୁମେ ପ୍ରିୟଜନ ମୋହର

 

ମାଗିଲି ଆଗେ ତେଣୁ ମନେ ମନେ ଦୟା ତୁମ୍ଭର ।

ସାର୍ଥକ କରୁଛ ଜୀବନ ତୁମ୍ଭର ଦୟା ଧର୍ମ ଆଚରି

ତୁମ୍ଭ ସାହାଯ୍ୟେ ଜନ ସେବାକରି

ମୂକର ମୁଖେ ଭାଷା, ପୀଡ଼ିତ ପୀଡ଼ା ନାଶ

 

କୁଷ୍ଠ ଗଳିତର ସେବା ଲାଗିଛି ତହିଁ ଯେତେ ପାରେଁ ଅବା ।

କରୁଅଛି ଏହି ସେବା ବିଂଶ ବର୍ଷଧରି

ଆଣୁଛି ଅର୍ଥ ଦ୍ରବ୍ୟ ଭିକ୍ଷା କରି

ଜପୁଛି ଜୀବନ ଚିର ସେବା ବ୍ରତ ଧରି

 

ଆଜି ବାଞ୍ଛିତ ଆପଣ, ଏ କାର୍ଯ୍ୟେ କରୁଣା ଘେନ ।

ସରୋଜିନୀ ଉଲ୍ଲସେ ସୌରକର ପରଶେ

କୁମୁଦ ହସେ ସିନା କୌମୁଦୀ ହାସେ

ଚାତକୀ ଚାହିଁ ରହେ ଆକାଶ ଜଳେ

 

ପତିବ୍ରତା ପତ୍ନୀ ସ୍ନାନ କରେ ଗଙ୍ଗାଜଳେ ।

ବିପଟୀ ବିଟ ଖୋଜେ ସାରା ନିଶି

କାମୁକ ରତି ଖୋଜେ ସକଳ ଦିଶି

ମଧୁକର ମଧୁ ଲୁଟେ ପୁଷ୍ପେ ପୁଷ୍ପେ

 

ଛାଡ଼ି ନିଜ ପତ୍ନୀ ଲମ୍ପଟ ଲୋଭେ ଶଷ୍ପେ ।

ବିଧାତାର ବିଧି ବୁଝିବାର ଅବିଧି

ବିଶ୍ୱାସ ଅବିଶ୍ୱାସର ଏ ବିଚିତ୍ର ବାରିଧି ।

ବିଷୟ ବାସନା ପୂରେ ମନ ମୋର ଘୂରେ

 

ଅନ୍ଧକାର ଆହୁରି ଯାଇ ନାହିଁ ଅପସରି

ଆଲୋକ ଅନ୍ଧାରେ ବସି ମୁହିଁ ଭାବୁଛି କିପରି ।

ନାହିଁ ନାହିଁ କି ଭାଗ୍ୟେ ମୋର ବିଷୟ ବୁଦ୍ଧି

ନାହିଁ ନାହିଁ କି ମୋର ଶକତି ସିଦ୍ଧି ।

 

କେବେ କି ବିଜନେ ବସି ମନେ ମନେ ରସି

କଟାଇବି ବୃଥାରେ କାଳ

ଅବା ଯିବି ଚାଲି ହେଲାଣି ବେଳ ।

ସାଗର କୂଳେ ବସିବି ଏକାକୀ

 

ଲଭିବି ମନେ ମନେ ସୁଖ ଶାନ୍ତି ଯେତିକି ।

ପରିଶ୍ରମ ମୋର ହେବ କି ନିରର୍ଥକ

ଚାହିଁବି କି ଖାଲି ଏବେ ଭକ ଭକ ।

କାହିପାଇଁ ଭାବନା ଲକ୍ଷ୍ୟକୁ ସଦା ଅନା

 

ସେହି ପଥେ ଲାଗିଥା କର୍ମେ

ନ ଭାବି ନ ଭୟକରି ନର୍ମେ ।

ଫଳିବ ଫଳ ଆପଣା ମନ

ପ୍ରକୃତି ସେ ଯେ ଆଣିବୁ ଧନ ।

 

ଦେବ ଦତ୍ତ ଊଷାରାଣୀ ସାଙ୍ଗେ ଖେଳେ

ଖେଳିଲେ ଜୀବନେ ଊଷାର ଭୋଳେ ।

ଏବେ ଆସିଲା ବଉଦ ଘେରି କରମ ଫେରେ ।

ଥିଲେ ଦୁଇ ମନେ ହେଲା ବହୁ ହୋଇ ଦେଖା ଦେବୁଁ ଜୀବନେ

 

ଏଣୁ ପୁଅ ଝିଅ ଦୁଇ ହୋଇଲେ ହୋଇଲେ ଚାରିଜଣେ ।

ଦେବତା ଦାନ ଆହୁରି ଜଣେ

ଅନାଥିନୀ ରହେ ଭାଇ ଭଉଣୀ ଜ୍ଞାନେ

ଆଶାର ଆଲୋକ ଚାଲି ଯାଇଅଛି

 

ରହିଅଛି କେବଳ ସ୍ୱପନ

କର୍ମର ତାଡ଼ନା ଜୀବନର ଗଞ୍ଜଣା

ଦୂରେ ରଖିଅଛି ନିଧୁବନ ।

ରସର କଷ ଜୀବନର ବିଷ

 

ସବୁ କରିବାକୁ ହେବ ପାନ ।

ମୁଁ ଭୁଖିଲା ମୁଁ ଖାଇବି ମୋର ବାହୁକୁ

ମୁଁ ବିଷ୍କ ହସିବି ବିକଟ ହାସକୁ ।

ଚାହେଁ ମୁଁ ଜଗତେ ସକଳେ ଖୁବିବି

 

ଏତେ ଅନାଦର ଜୀବନ କିପାଇଁ ବିତାଇବି ।

ଯେଉଁଦିନ ନାହିଁ ମୋର ସୁଖ

ନାହିଁ ଯେବେ ମୋର କେହି ସୁସଖ

ମୁଁ କିପାଇଁ ରହିବି ଉଚ୍ଚ ଘରେ ପଡ଼ି

 

କଠିନ କଠୋର ଜୀବନେ ଛାଡ଼ିବି ରଡ଼ି ।

ପ୍ରଳୟର ଝଞ୍ଜା ଜୀବନେ ଯାଉ ବହି

ଉନ୍ମାଦନା ଆସୁ ପ୍ରାଣେ ପ୍ରାଣ ଦହି ।

ଉଦ୍‌ଗାରେ ମୁହିଁ ଅନଳ ଅମୀୟ ନ ହେଉ

 

ମୁଁ ନାଶିବି ତ୍ରାସିବି ଝାସିବି ଜୀବନ ଯାଉ ।

ଆସିବ କି କେହି ମୋ ସାଙ୍ଗେ ହେବ ସାଙ୍ଗ

ଜୀବନେ ଆମର କରିବା ଭୀଷଣ ରଣ ରଙ୍ଗ ।

ଜିଣିବି ଜିଣିବି ପରା ଜୟ ନ ଗଣିବି

 

ଏତିକି ଏତିକି ହେଲେ ଯାଇଁ ଶାନ୍ତି ପାଇବି ।।

ଆଲୋ ମୋର ବିଜୁଳୀପଙ୍ଖା

ତୋହରିପାଇଁ ମନ ମୋର ରଙ୍କା

ଯେତେବେଳେ ଚାହେଁ ସେତେବେଳେ ଥାଉ

 

ଘୂରି ଘୂରି ମୋତେ ମଳୟ ଦେଉ ।

ପଙ୍ଖା ମୋର ବିଜୁଳୀପଙ୍ଖା ମୋହର ସହରେ ତୋର ବାସ

କୁଟୀରେ ମୋହର ପ୍ରବେଶି କେବେ କରିବ କି ହାସ ।

ନୀରବ ଭାବେ ବସିବି ମୁହିଁ ତୁମରି ସନ୍ଧାନେ ରହି-

 

ସନ୍ଧ୍ୟା ଯେବେ ଆସିବ ଘେରି ମଳୟ ସାଥେ ବହି ।

ଆସିବ ତୁମ୍ଭେ ନୀରବ ପାଦେ

କଣ୍ଟକ ଏଡ଼ି ପଦେ ପଦେ

ଗୀତଟି ମୋହର କର୍ଣ୍ଣରେ ଯେବେ ପଶିବ ଦହି ଦହି ।

 

ଆସିବ ହୃଦେ ରକ୍ତିମ ରାଗେ

ପଶ୍ଚିମ ସୂର୍ଯ୍ୟ ଯେବେ ବିରାଗେ

ଯାଉଥିବ ବୁଡ଼ି ପଶ୍ଚିମ ଗଗନେ ନୀରବେ ରହି ରହି ।

ଆଜି ଖାଲି ବସି ମୁହିଁ ଭାଳୁଥିବି ତୁମ୍ଭ କଥା

 

ଦୂରେ ମୁହିଁ ବସି ରହି ଦିନୁଁ ଦିନୁ ମ୍ରିୟମାଣ ।

ଆସ ସଖା ଦେଖିଯାଅ ଅନ୍ଧ ମୁହିଁ ହୀନିମାନ ।

ଦୂର ବିହଗ ମୋର ଦିନରାତି ଦୁଃଖ ସାର

ଆଶାନେତ୍ରେ ଚାହିଁ ମୁହିଁ ଭାବୁଛି ତୋହରେ ଏ ପ୍ରାଣ ।

 

ଥରେ ଥରେ ଭଜି ଫେରେ ବୁଡ଼ି ଯାଉଛି ଏ ଚେତା !

ଅନ୍ତରେ ଅନ୍ତରେ ଖେଳେ ତୋର ସେହି ପ୍ରିୟ ମୂରତି ପଥା ।

କୁହୁ କୁହୁ କରେ ପ୍ରାଣ

କହିଦିଏ ଅନ୍ତର ଗାନ

 

ଯିଏ ଥାଆନ୍ତି ଜଗିଣ ।

ଶୁଣି ଦେଲେ ଯାଏ ମାନ ।।

ମଳୟ ଚନ୍ଦନର ବାସ ମୋର ପ୍ରେମେ

ଆସ ଆସ ସଖା ସଖୀ ତ୍ୱରିତେ ବିଭ୍ରମେ ।

 

ବୋଳିଦିଅ ସୌନ୍ଦର୍ଯ୍ୟ ତୁମ୍ଭର

ଭାସିଯିବ ପୂରିଯିବ ଦଶଦିଗ ଗନ୍ଧେ ହେବ ବିଭୋର ।

ଚୁମ୍ବନର ରୂପ ମୋର ଶ୍ରାବଣର ଧାରା ପରାଏ

ସ୍ନାନ କର ତହିଁ ତୁମ୍ଭେ ଅକାତରେ ଆନନ୍ଦେ ଭରି ହେ ।

 

କେତେ ପ୍ରେମେ କେତେ ଭାବେ ଭାବେ ନିମଜ୍ଜନ

ଏହି ମୋହର ଭାବନା ଦେଖା ନାହିଁ ପ୍ରିୟ ଅନେକ ଦିନ ।

ଆସ ଆସ ଶ୍ରାବଣ ରାତିରେ

ଘନ ଘୋର ବରଷା ମଧ୍ୟେ ଥିବା ଶୋଇ ତୁମ୍ଭେ ମୁହିଁ ରେ ।

 

ଉଠିବା ସକାଳୁ ବସିବା ଭାଳି

ଜୀବନର ସୁଖ ଦୁଃଖ କିଛିକ୍ଷଣ ଯିବାଭୁଲି ।

ଖାଲି ବସି ରହିବା ଅନନ୍ତେ ଭୋଳି ।

ଆସ ପ୍ରିୟ ଶ୍ରାବଣର ବେଳା

 

ଯାଉଅଛି ଚାଲି ଶ୍ରାବଣର ଧାରା

ଏକାକୀ ରଜନୀରେ ଡରିବ ପରା

ଧରିଥିବି ବକ୍ଷେ ଜଡ଼ି ଅପୂର୍ବ

ହେବ ତାହା ମୋ ଜୀବନ ସାରା ।

 

ପୂର୍ଣ୍ଣକର ପୂର୍ଣ୍ଣକର ପୂର୍ଣ୍ଣକର

ଆପଣାରେ ପ୍ରେମ ହେମ ହେ

ବିରହର ନିଶ୍ୱାସେ ମୋର

ଶୁଖି ଯିବ ଭିଜା ବାଳ ତବ ମୁଣ୍ଡର ।

 

ଆସ ଆସ ତହିଁ ଶୁଖାଇ ଦିଅ ତବ ବାଳ

ହେ ମୋର ପ୍ରିୟ ହେଲିଣି ମୁଁ ଅସମ୍ଭାଳ ।

ଆଲିଙ୍ଗନ ମୋର ତପ୍ତ ବହ୍ନି

ଜାଳି ନିଅ ହୃଦେ ତବ ଦୀପ

 

ଜ୍ୱଳି ଉଠୁ ପ୍ରେମେ ପ୍ରେମେ ପ୍ରତି ହୃଦ

ଦିଅ ଦିଅ ତବ କୁଞ୍ଜବନ ଆଲିଙ୍ଗନ ।

ଫୁଲ ପଡ଼ୁଛି ଝରି

ଦୁଖିନୀ ଭଉଣୀ ମୋର

 

କାମ କରୁଛି ଆପଣା ମନକୁ ଭରି ।

ପୁରୁଣା ମୋର ଚିହ୍ନା

ସ୍ନେହର ବିକାର ନାହିଁ ଜଣା

ଅଛି ତହିଁ ବହୁ ଦିନର ସୁନ୍ଦର ଭାବ ।

 

ଭଉଣୀ ମୋର ଏହି ଘରେ

କନ୍ୟା ମୋହର ସରବ ।

ଚାଲିଛନ୍ତି ଜୀବନ ପଥେ ପରିଶ୍ରମ କରି

ଦୁଃଖୀ ଭାଇ ମୋହରି

 

ତାଙ୍କରି ଘରେ ମୁଁ ଚିର ଭିକାରୀ

ସ୍ନେହର ବନ୍ଧୁତାର ଭିକାରୀ ।

ନମୋ ନମଃ ଘେନ ମୋର ନମସ୍କାର

ମୋର ଗିରିଧର ଗୋପାଳ

 

ଆଜି ଜଗତର ଆଦ୍ୟ ଲୀଳା

ସଙ୍ଗେ ମୋର ଖେଳ ।

ମୁଁ ନୁହେଁ ଜଗତର ରଙ୍ଗଲୀଳା ସାଥୀ

ମୋ ପରାଣ ଗୁନ୍ଥା ଅପୂରୁବେ ତୋହର ସାଥି ।

 

ପ୍ରାତରୁ ପ୍ରଣାମ କରେଁ ସ୍ନାନ ପୂଜା ସାରି

ତୁମ୍ଭରି ସମ୍ମୁଖେ ବସି ସେବା ଧ୍ୟାନ କରେଁ ଭାରି

ଏହାହିଁ ମୋର ସମ୍ପତ୍ତି ଏହାହିଁ ମୋର ସୌରଭ

ଏହାହିଁ ମୋର ଗୌରବ

 

ଏକାକୀ ଚାଲିଛି ମୁହିଁ ଏ ଘରେ ରହି ।

ଏ ଘରର ସୁଖ ଶାନ୍ତି ମୋର ଅଙ୍ଗେ ସୁଖ ନ ଲାଗଇ ।

ଏମାନେ ଅନ୍ୟ ଭାବ ଧାରା ଲୋକ

ସୁଖ ଯାହା ଏହାଙ୍କର

 

ଦୁଃଖ ଲାଗେ ମୋତେ ବାର ବାର

ଉଦ୍ଧର ଉଦ୍ଧର ପ୍ରଭୁ ଗିରିଧର ଗୋପାଳ

ନମୋ ନମଃ ଘେନ ମୋର ନମସ୍କାର ।

ସେହି ଶ୍ରାବଣ ରାତି ଅଛି ବରାତି

 

ଯାହା ଆସିଥିଲା ମୋହ କତି

ଆର ବରଷ ଏହି ରାତି

ସଖା ମୋହର ଥିଲା ବନ୍ଧୁ ଗହଣେ ତାରକା ସତେ

ତୁମେ ପରା ଥିଲ ତହିଁ ଚନ୍ଦ୍ର ମୋ ବକ୍ର ଚନ୍ଦ୍ର

 

ନିଶୀଥେ ତାରକା ରହିଥିଲେ ବିରାଜି ।

ଶାନ୍ତ ସ୍ତବ୍ଧ ଥିଲା ସ୍ୱର୍ଗ

ଆକାଶୁ ଝରୁଥିଲା ନିଶବ୍ଦେ ପ୍ରେମ ସ୍ନେହ ବର୍ଗ

ଜାଣିବାର ଲୋକ ଦେଉଥିଲା ତାକୁ.........

 

ଆଜି ସଖା ନାହିଁ ତୁମେ ମୋ କତି

ମୋ ହୃଦ ହୋଇଛି ଶୂନ୍ୟ ନାହିଁ ତବ ପ୍ରେମ ମୂରତି ।

ତହିଁ ଦେଖୁଛି ସତ କିନ୍ତୁ କାହିଁକି ମନ ନାହିଁ ତ ।

ତଥାପି ପୂର୍ବ ଜନ୍ମର ସ୍ମୃତିସମ ଚାଲିଯାଇଛ କାହା ପାଶେ

 

ମୁଁ ଦେଖି ନ ପାରେଁ ଅଧିକେ

ପ୍ରାଣର ବେଦନା କିଛି ନାହିଁ ସତ ଦୁଃଖ

ତଥାପି ଆଜିକ କାହାରେ, ଏ ଜୀବନ ସରସି ବାରେ ।

ଧରଣୀ ଶୋଇଛି ରମଣୀ ଆକାଶ ଚାହିଁଛି ରହି

 

ସ୍ତବ୍ଧ ପ୍ରତିବିମ୍ବ ପଡ଼େ ଧରଣୀ ପରେ ରହି

ତାରକା ରହିଛ ସୁନ୍ଦର ଜକ ଜକ ହେଉଛ ତହିଁ ପର

ମୋର ହୃଦୟ ପୁର କାଳ ସେ ତରଙ୍ଗ

ପରଶ କରେ ତବ କିରଣ ମୋର ଅଙ୍ଗ

 

ନାହିଁ ସେ ଭାବନା, ଯାହାକୁ ନ ପାଇ ହେଉଥିଲି ଉଚ୍ଛନା

ଆଜି ଏକାକୀ ନୋହି ବିକଳ, ବସିଛି ଶୋଇଛି ନୋହି ଉଦ୍‌ବେଳ

ବକ୍ର ଚନ୍ଦ୍ର ମୋର ନମସ୍କାର, ତୁମେ ଅଛ ମୋର ସେହି ଢେର ।

ତୁମେ ଚିର ଦିନର ସଖା, ଚିର ଦିନର ସ୍ୱାମୀ

 

ତୁମ୍ଭ ବିନା ନାହିଁ ମୋର ଅନ୍ୟ ଗତି

ତୁମେ ମୋର ଚିର ଦିନର ସାଥୀ

ତୁମେ ପୁଣି ଯେବେ ଦେବ ଆଣି ପ୍ରେମର ବସ୍ତୁ

ପୁଲକିବି ମୁହିଁ ତହିଁ ଯାଇଁ ଆଜି ରହିଛି ଅନାଦୃତ ବସ୍ତୁ

 

ଧନୀ ମୌନୀ ବୃକ୍ଷ ମୋର ସାକ୍ଷୀ କିଏ ଆସିଥିଲା ହୃଦୟେ

ଚାଲିଛି କେଉଁ ନାରୀ କେଉଁ ଦୁର୍ବୃତ୍ତକୁ ସ୍ନେହକରି

ଯିବ ସେ ତହିଁ ବୁଡ଼ି ।

ଭାଇ ତାହାର ସଙ୍ଗେ ଅଛି ତହିଁ ସେ ଦୁର୍ବୃତ୍ତ ନ ପାରେ କିଛି

 

ପିତା ଚିନ୍ତିତ କି କରିବ ହତାଶେ ଆଶେ ମୋ ପାଶେ

କେସନେ କିଏ ତାକୁ ରକ୍ଷା କରିବ ।

ଏ ମହୀମଣ୍ଡଳେ କାହାର ସାଥେ ମୁଁ ଏବେ ଭୋଳେଁ

କେହି ମୋହର ନାହିଁ ମୁଁ କି ଖାଲି ନିରର୍ଥକ ବସି ଅଛଇଁ ?

 

ବିଫଳ ତହିଁ କିଛି ଯେବେ କଲି ନାହିଁ

କୋକିଳର କୁହୁ ଯେବେ ନାହିଁ ।

ଅନ୍ତର ଯେବେ ଏତେ ସ୍ଥିର ହୋଇ

କିଛି ଭାବନା ତରଙ୍ଗ ତହିଁ ନ ରହି ।

 

ଚାଲିଥାଏ ଜୀବନ, ନୁହେଁ ସେ ଜୀବନ

ସେ ଅମୃତ ନୁହେଁ ଅଟେ ମରଣ

ଏହି ଭାବନା ମୋହର ଜୀବନ ବ୍ୟାପାର ଅପାର

ଆଜି ବୁଝି ନୁହେଁ ଅଟେ ମରଣ

 

କିନ୍ତୁ ନ ଲାଗଇ ହିଲ୍ଲୋଳ, ସବୁ ମାତ୍ର ସ୍ଥିର

ଜୀବନର ଊର୍ମି ଯେବେ ଆସେ ଚୁମି

ସୁନ୍ଦର ସେ ଆଗମନ, ସୁନ୍ଦର ସେ ନର୍ତ୍ତନ

ସୁନ୍ଦର ସେ ଉଚ୍ଛ୍ୱାସ, ସୁନ୍ଦର ସେ ଦୀର୍ଘ-ନିଶ୍ୱାସ

 

ସୁନ୍ଦର ସୁନ୍ଦର ଅତି ସୁନ୍ଦର

ଚିର କାଳ ରାସ ଲୀଳା ଦୋଳା ଅମୃତ ଭେଳା

ଚିରକାଳ ଚିରକାଳ ଚିରକାଳ

ହୃଦୟ ପ୍ରେମେ ବିଭୋଳ, ସେହି ସିନା ଜୀବନ ଦୋଳା

 

ଜୀବନ ଦେବତା ତହିଁ କରୁଥାନ୍ତି ଖେଳା

ଲାଗଇ ହୃଦୟେ ପବନ ବହଇ ମଳୟ ସନ ସନ

ଜୀବନ ହୁଏ ଧନ୍ୟ, କେହି ପରମ କାରୁଣ୍ୟ

ଆସୁଛି ଏବେ ଊଷା, ସବୁ ହେବ ଫରଚା

 

ମୋର ଚିନ୍ତା ଯିବ ପଳେଇ ରଜନୀ ସାଥେ ଭାଇ ।

ଊଷା ନମସ୍କାର, ଦିଅ ନବ ଭାଷା ଦିଅ ତବ ମୁଖ

ଊଷା ପ୍ରଥମ ଜନମର ସେହିରୂପ ରଖିଛ ଅନୂପ

ନାହିଁ କଳଙ୍କ ନାହିଁ ଝଲକ

 

ତୁମେ ଊଷା ଗୈରିକ ଭାଷା

ତୁମରି ଭାଷାରେ ମୋଚିତ୍ତ ରଙ୍ଗାଇ କରୁଥିବି ସଦା ହରଷ

ନୁହେଁ ସେ ସାଗର ଉଚ୍ଛ୍ୱସ ତଥାପି ଯୋଗୀ ଋଷି ଚିତ୍ତପରଶ

ଊଷା ତୁମ୍ଭେ ସକଳ ଜନ ଭରସା

 

କହଲୋ ମୋତେ ‘ ଏ କିହେଲା ସତେ

କାହିଁକି କୋକିଳ ମୋର ଅନ୍ତରେ ନ କରେ କୂଜନ

କାହିଁକି ଆଜି ସବୁ ଶୂନ୍ୟ ?

ଆଜି କାହାନାମ ପୁକାରି ପୁକାରି

 

ଜୀବନ ଦେବି ମୋର ବିତରି ବିତରି

କି ଏ ମୋର ଜୀବନ ସ୍ୱାମୀ

କାହାରେ ମୁଁ ଡ଼ାକିବି ଦିବସ ଯାମୀ

କିଏ ମୋର ଶ୍ୟାମସୁନ୍ଦର

 

କାହାର ଉର କରିବ ମୋର ଚିତ୍ତ ସ୍ଥିର ।

ଆଜି ବିଷାଦେ ଚିତ୍ତ ଭରା

ଆଜି ନାହିଁ ଆଲୋକ ପୁଲକ ଅଛି ଆଜି ଶ୍ୟାମ ଧରା ।

କିନ୍ତୁ ମୋର ଶ୍ୟାମ ନଦିଏ ଧରା ।

 

ଆଜି ଖୋଜିବି ମୁଁ ତାକୁ କାହାଠାରେ

କିଏ ସେ ଜନ ଆସିବ କେଉଁ ମୁହୂର୍ତ୍ତରେ

ଆକାଶେ ଅଛି ତାରା ଆହୁରି ମିଳି ନାହିଁ ପରା

ଆକାଶେ କୋଣେ ଶୋଇଛି ମେଘ, ଆହୁରି ଚଳିନାହିଁ ବେଗ

 

ଚାନ୍ଦମୋହର ରହିଛି ସୁନ୍ଦର

କୁକ୍କୁଟ ଦେଉଛି ରାବ ତାହାର, ଉଠ ଉଠ ସତ୍ୱର

ଶାନ୍ତ ସୁନ୍ଦର ଧୂସର ଉଷା

କାହାରେ ମୋହର ଚିତ୍ତ ଏବେ କରିବ ଭରସା

 

ମୂରୁଖ ଆମେ ନ ଜାଣୁ କିଛି

କିଏ ସେ ଆମକୁ ଦେବେ ଜ୍ଞାନ କିଛି କିଛି ।

ଆମ ପୁଅ ଝିଏ ପାଠ ନପଢ଼ି ହେ ଯାଉଛନ୍ତି ସଢ଼ି

କି ସୁଖ ମୂର୍ଖ ହୋଇ ବଢ଼ି ?

 

ରହି ଥିଲୁଁ ଆମେ ଯଥା କଥାରେ

ଆଜି ସକାଳ ସଞ୍ଜ ଏହି ଭାବନାରେ

ଦିନ ଯାଉଛି କଟି

ମନ ହେଉଛି ଛାଟି

 

କିଏ ସେ କିପରି ଦେଖାଇବେ ଆମକୁ ବାଟ କାଟିରେ ।

ବେଦନାରେ ଭରୁଛୁଁ ସିନା

ମରମ ଆମର କରମ ବିନା

ଯାଉଛି ଚାଲି ହୀନ ହୀନା

 

ଦିଅହେ ଭରି ବିଦ୍ୟାର ଭଣ୍ଡାର କିଏ ଆହେ କାଣ୍ଡାରି ।

ଆମେ ପିଲା ପିଲି

ହସିବୁ ଖିଲି ଖିଲି

ଚଢ଼େଇ ପରି

 

କରିବୁଁ କିଚିରି ମିଚିରି ।

ଆମେ ନଟ ଖଟିଆ

ସବୁବେଳେ ଖୁଟୁ ଖୁଟିଆ

ମାଷ୍ଟରେ ଆମ ସାଙ୍ଗରେ ପାରିବେନାହିଁ ।

 

ଠକାଇ ଦେବୁଁ ତାଙ୍କୁ ମିଛ ସତ କହି ।

ଆମେ ପରା ଗେହ୍ଲା, ଆମେ ପରା ଗେହ୍ଲୀ

ଆମପାଇଁ ବୋଉ ଆମର ସଦା ଲଗାଇଥାଏ ଚୁହ୍ଲୀ

ଆମେ ଖାଲି ଚିମିଟା ଚିମିଟିହୋଇ କରୁ ଗୋଳ ମାଳ

 

ମାଷ୍ଟରେ ଯେବେ ନ ଥାନ୍ତି ଭାରି ମଜା ଆମ୍ଭର ।

କାହାର ଆଖିରେ ନିଦ ନାହିଁରେ

ଏହି ବାଦଲ ରାତି ବାରି ବରଷିଛି ସାରା ରାତି ।

ସେହି ଏକାକୀ ବସି ରାତି ସାରା କାନ୍ଦିଛି କାହାରେ ରସି

 

ସେହି ତାହାର ଆସିବେ ଆସିବେ ବୋଲି ରାତି ପାହିଗଲା ଆସି ।

ମେଘ ଯାକ ଯେତେ କାନ୍ଦୁଛନ୍ତି ଅତି

ତା କାନ୍ଦ ତହିଁରେ ମିଶାଇ ସତୀ

କାନ୍ଦିଛି ବସିଛି ଭାଳି ସାରା ରାତି ।

 

ସତେ କି ଆଉ ନିର୍ମଳ ହେବ ଆକାଶ

ରାକା ଶଶୀ ପୁଣି ହସିବ ସେ ବସିବ ଆସି ତା ପାଶେ ।

ଝୁରି ଝୁରି ସିନା ସରିବ ସେହି

କହିବି ଆଜି ତା ପାଶେ ଆସିବେ ନାହିଁ ।

 

କେହି ଆସିଲେ ଆଶ୍ୱାସ ମିଳିବ

କେହି ଆସିଲେ ବିଶ୍ୱାସ ପାଇବ ।

ଯାଇନି ଯାଇନି ତାର ଯୌବନ ଚାଲି

ବସିଛି ବସିଛି ସେ ଘେନି ଅର୍ଘ୍ୟ ଥାଳୀ ।

 

କାହାର ପଥେ ଚଳିବି ରଥେ

ଭାବନା ମୋର ଏହି ଜଗତେ

ସୁନ୍ଦର କିଏ କହତ ହେ

ଯିବି ମୁହିଁ ଚଳି ତାହାରି ସାଥେ ।

 

ପଥେ ପଥେ ମୋର କଣ୍ଟକ ବାଜେ

କିଏ ମୋହର ସାଥୀ ହେବ ଯେ

ଆସ ଆସ ବିରହ ମିଳନର ଶ୍ୟାମ ସଖା

ଦିଅ ଦିଅ ଅନ୍ତରେ ତୁମର ମଧୁର ଦେଖା

 

ହରି ସୁନ୍ଦର ଗିରି ବନ ସୁନ୍ଦର

ସୁନ୍ଦର ଶ୍ୟାମ ନୀଳ ଘନ ।

ଆଉ ସୁନ୍ଦର ଶିଶୁ ପରାଣ ଜୀବନ ମୋର ରହୁ ଚିର ଦିନ ।

ଆକାଶ ପଥେ ଚଳିବି ରଥେ

 

ଆଲୋକ ଯିବ ଆକାଶ ଅବନୀ ପୂରି

ଡ଼ାକିବି ବନ୍ଧୁ ତୁମରି ସାଥେ

ଆନନ୍ଦେ ମିଳି ଚିରଦିନ ଶ୍ରୀହରି ଶ୍ରୀହରି ।

ନୀରବ ରଜନୀ ନୀରବ ତାରା ବାଦଲ ଭରା

 

ଘନ ଘୋର ଅନ୍ଧକାର ଘେରି ଆସେ ଆକାଶେ

କଳା କଳା ବଉଦ ଭିତରେ ହୀରକ ତାରକା ସୁନ୍ଦର ଦିଶେ

ଜୁଳୁ ଜୁଳୁଆ ଜଳଇ ଜକ ଜକ

ପତଙ୍ଗ କେତେ କରନ୍ତି ରକ ରକ ।

 

ଆକାଶ ଆଡ଼େ ମନ ଧାଏଁ ରେ

କିଏ ସେ ଉଦାସୀ

ପରାଣେ ଦେଉଛି ହସି ।

ମୁଁ ଏକାକୀ ହୋଇ ଯାଏଁ ଜୀବନେ ବସି

 

କେହି କି ମୋହର ନାହିଁ ଏକାନ୍ତେ ଯିବି ରସି

ଇନ୍ଦ୍ରଧନୁ ପଡ଼ିଲା ସକାଳ ଆକାଶେ ।

ନୀଳ ରକ୍ତ ପୀତ ବଉଦ

ଚିତ୍ତ ଜଗାଏ ଆଶାର ସ୍ପନ୍ଦନ

 

ଏକାକୀ ବନ ପଥେ

ଶୁଣେ ଯେବେ ତାହାର ବଂଶୀ ବାଦନ

ପରମ ଆଶ୍ରୟ ଦାତା ଭକତ ବତ୍ସଳ ପ୍ରେମଧନ ।

ଗୋଲାପ ବରନୀ ସୁହାଗ ଭରା

 

ଆସିଲ ମୋ ହାତେ ସୁନ୍ଦର ପରା

ଫୁଟିଥିଲ ଡାଳେ ବସିଥିଲ ହସୁଥିଲ କୁସୁମ କାନନେ

ଏକାକୀ ଉଜ୍ଜ୍ୱଳି ଦଶ ଦିଗ ଆଣି ଦେଲେ ମୋତେ ସୁହାଗେ ଭରି

ପ୍ରେମିକ ମୋର ସ୍ନେହ ସୁନ୍ଦର

 

ଶୋହଳ ମୋ ହାତେ ପ୍ରାଣେ ପୂରାଇଲ ମୋତେ

ଜୀବନ ମୋର ଯାଉ, ଗୋଲାପ ମୋର ହାତେ ଥାଉ

ନୁହେଁ ବାଦଶାହା ମୁହିଁ ତୋହରି ସାଥେ

ଲୋ ଗୋଲାପ ସୁନ୍ଦରୀ

 

ଆଜି ବାଦଶାହା ହେଲି ମୁହିଁ ।

ପ୍ରିୟ ! ଘେନ ମୋର ପରାଣର ଆଲିଙ୍ଗନ

ଘେନ ମୋର ନୟନର ଦର୍ଶନ

ହରଷୁ ଅନ୍ତର, ପଢ଼ ହେ ମନ୍ତର

 

ଚିର ସ୍ନେହାଧୀନ ରହେ ତୁମ୍ଭର ।

ବୁଢ଼ୀଟିଏ ଅଛି କରମ ପାରେ

ବୁଢ଼ୀଟିଏ ମୋର ସୁନା ଝିଅରେ ।

ତାର ପୁଅଟା ଯାଇଛି ଏ ଦେଶ ସେ ପାରେ,

 

ଛୁଅଟା ତାର ରହିଛି ବୁଢ଼ୀ ସାଙ୍ଗରେ

ବୁଢ଼ୀ ଲାଗିଛି ଧନ୍ଦାରେ

ପଡ଼ିଛି କରମ ଫନ୍ଦାରେ ।

ନିର୍ବେଦ ନିର୍ବାଣ ପରି, ବୁଢ଼ୀର ଜୀବନ ଭାରି

 

ଚାଲିଛି ସୁଖରେ ଦୁଃଖରେ

ସେହି ବୁଢ଼ୀ ମୋର ମାଆ

ମୁଁ ଅଟଇ ତାର ଛୁଆ

ସରୁ ଚାଉଳ ଦିଓଟି ଫୁଟାଇ ସେ

 

ଖାଇବାକୁ ଦେବ ଯତନେ ଯେ

ସ୍ନେହର ଅଗାର କୁଡ଼ିଆ ଘର

ସ୍ନେହ ବିନା ଗନ୍ତାଘର ଶୂନ୍ୟ ଅସାର ।

ଯବନିକା ପତନ କରିଣ ଶ୍ରବଣ

 

ଜୀବନର ଯବନିକା ଆଜି ହେଲା କି ପତନ

ବରଷାର ବାରିଟୋପା ପଡ଼ଇ ଟପର ଟପର

ଯାଉଛି କି ଚାଲି ଜୀବନ ମୋହର

ବିନ୍ଦୁ ବିନ୍ଦୁ କରି ଧୀର ଧୀର

 

ଏ ଜୀବନ ଚାଲିଯାଏ ଯେହ୍ନେ ଜୀବନ ନାହିଁ ମୋହର ।

କେତେବେଳେ ମେଘ ଆବରଣ

କେତେବେଳେ ତପନର କିରଣ

କି ସୁଖ କାହିଁ ଗଲା ତାହା ବୁଝିବାକୁ ଶକତି ମୋହର ନାହିଁ ଜାଣ

 

କାହାର ଆନନ

ଦିଶିଯାଏ ଛନ ଛନ

ସେହି ଯେ ଯାଇଛନ୍ତି ଆର ବରଷ

ଆଉ ଫେରି ନାହାନ୍ତି ବାରି ବରଷ

 

ପିଲାଟିଏ ତାହାର ଏକୁଟିଆ ହୋଇ

ବୁଲେ ଭବ ସଂସାର ।

ବୁଢ଼ୀ ଆଈଟି ଭାବି ଭାବି ତାରି ପାଇଁ

ଚାଲୁଛି ବାଟ ଦିନ ରାତି ନାହିଁ ବିକଳେ ବାଇ

 

ଯାଇଥିଲି ମୁହିଁ ବୀର ଘରେ

ଖୁଆଇଲା ତା ବୁଢ଼ୀମା ଦୁଧ ଘିଅରେ

ମାଛ ଥିଲା ତାର ସାଥେ

ଖାଇଲି ଭାତ ହାତେ ହାତେ

 

ମନେ ଥିବ ଏହି କଥା

ଢେଙ୍କି କୁଟି ମାରେ ମରମ ବ୍ୟଥା

ଘୁରେ ବୀରର ମା ମାଉସୀ ବୁଢ଼ୀମା

ସଂସାର ପଥରେ ଚାହିଁ ରହିଛନ୍ତି ବୀରକୁ ମା

 

ଦୟା ରଖ ବୀର ଉପରେ

ହେ ଭାଇ ଭଉଣୀ ଯେତେ ଅଛରେ ।

ଜହ୍ନି ଫୁଲ ଶୋଭା ଦେଖିଲି ଆଜ

ଥିଲି ଯେବେ ଏକାକୀ ନ ଥିଲା ବ୍ୟାଜ ।

 

କେଡ଼େ ତୋରା ସେ ଦିଶଇ ମୋତେ

ସତୀ ସୁନ୍ଦରୀ ରାଧା କି ସେ ସତେ ।

ନୀଳଘନ ତମାଳ ଶାଖେ ଶାଖେ

ଜହ୍ନି ଫୁଲ ମୋର ଶରଧା ସହୀ ତାକୁ ମୁଁ ଦେଖେଁ ।

 

ଆଜି ବାଲିଘର ଖେଳ ଜହ୍ନରାତିରେ

ଫୁଟିଥାଏ ଯେବେ ଜହ୍ନି ଫୁଲ ଛାତି ଛାତିରେ ।

ମନେ ପଡ଼େ ସେହି କଥା

ଏକାକୀ ବୁଲି ମରମେ ପାଏ ବ୍ୟଥା

 

କାଲି ଏତେ ସାଙ୍ଗ ସୁଖ ଆଜି ଏତେ ବିରହ ବ୍ୟଥା

ଆଜି ଏକାକୀ ମୁହିଁ ନାହିଁ କିଛି ସୁଖ ନାହିଁ ଅନ୍ୟଥା ।

ଖୋଜୁଛି ମୁଁ ଖାଲି ତାହାରି ସୁର

ଅନ୍ତରେ ଯାହା ରହିଛି ଭର ପୂର ।

 

ଲିଭି ନାହିଁ ଲିଭି ନାହିଁ ସେହି ଆଲୋକ

ପ୍ରତିମା ମୋହର ଉଜ୍ଜ୍ୱଳ ଦିଶେ କମ୍ପାଏ ଭୂଲୋକ ଦ୍ୟୁଲୋକ ।

ସେହି ମୋର ସମ୍ମୁଖେ ଉଭା

ତାହାରି ପାଇଁ ମୋର ମନ ଲୋଭା

 

ଆଜି ଗଛେ ଗଛେ ଫୁଟିଛି ଜହ୍ନି

ଫୁଲ କେତେ ସୁହାଗ ଭରା

ଆଜି ଭାବିବି ବସି ଗତ ଜୀବନର

ସକଳ ସୁଖ ହୋଇ ଆତ୍ମହରା ।

 

କାହିଁ ବସନ୍ତ କାହିଁ କୋକିଳ

ଆଜି ସକାଳ ସନ୍ଧ୍ୟା ବସି ମୁଁ ବ୍ୟାକୁଳ ।

ସାରା ନିଶି ଜୀବନ ଯାଏ ଭାସି

ଅନିର୍ଦ୍ଦେଶେ କେଉଁ ଆଡ଼େ

 

ସକାଳହେଲେ ନୀରସ ଆଳସ ଭୋଳେ

ଜୀବନ ଯାଏ ଏଆଡ଼େ ସେ ଆଡ଼େ ।

ଏପରି ଜୀବନେ କିସୁଖ ଅଛି କହ

ସଙ୍ଗୀତ କର ସଙ୍ଗୀତ କର କେ ଅଛ ଦୟାବହ ।

 

ମୋହର ପଶ୍ଚାତେ ଅଛକିସତେ

ମୋହର ଭିତରେ ଅବା

ପ୍ରଭୁବୋଲି କିଏ କହନ୍ତି ଏତେ

ତାଙ୍କରି ମୁଖକୁ ଚାହିଁବି ଅବା ।

 

ବଜାଦେଖି ଥରେ ଭଲକରି ଶିଙ୍ଗା

ବଜା ବଜା ବଜାତୁ ଆବର ରଙ୍ଗା

ତୁତ ଜିଣିବୁ ଆକାଶ

ଆମର ଜାତୀୟ ଜୀବନେ ଆଣିବୁ ବିକାଶ

 

ଉତ୍କଳ ଧରା ହୋଇବ ସାରା ।

ଚାବୁକ ଯେତେ ମାରିବୁ ସପାସପ୍

ସାବାଡ଼ କରିଦେବୁ ଯେତେ ଦୁଷ୍ଟ ସକଳେ

ମରିବେ ପଡ଼ି ଝଡ଼ି ପୋକ ପରି ନିଆଁରେ ଧପାଧପ୍

 

ଆରେ ରଙ୍ଗ ଦେଖରେ ଉତ୍କଳେ

ଅଛନ୍ତି ଯେତେ କାଙ୍ଗାଳେ

ନାହିଁ ତାଙ୍କର ଗୁଣ ଗାରିମା

ଅଟନ୍ତି ସେହି ପାପର ସୀମା

 

ଦହନ୍ତି ଲୋକଙ୍କୁ ଆପଣାର ସ୍ୱାର୍ଥପାଇଁ

ଏହିଲୋକ ଗୁଡ଼ାଙ୍କୁ ଦେତ ରଙ୍ଗା

ତୁ ଚୂନାକର୍ ଯାଇଁ ।

ବନ୍ଧୁକ ଘେନି କରନ୍ତି ଶୀକାର

 

ଏହିସବୁ ମଣିଷ ଜାନୁଆର

ଜୀବନ ଆମ୍ଭର ସୁଖର

କରି ଦିଅନ୍ତି ଦୁଃଖର

ବୁଦ୍ଧି ପରା ଲୋକଙ୍କର ଏତିକି

 

ଦୁଷ୍ଟକୁ ନମାରି ମାରନ୍ତି ପକ୍ଷୀକି

କିରେ ତୁହି ମଣିଷ ହୋଇ କାହିଁକି ମାରିବୁ ଚଢ଼େଇ

କିଦୋଷ ତୋହର କରୁଛୁଁ କେବେ କହ ସତ୍ୱର

ବୋହିଲେ ତୋହର ବୁଦ୍ଧି ଭ୍ରମଇ

 

ସାନ ସାନ ରଙ୍ଗରଙ୍ଗିଆ ଚଢ଼େଇ ଆମେ

ଗାଇ ବିଭୁ ନାମ ସକଳ ପାଇଁ ସାରା ଦିନେ

ଆମକୁ ତୁମେ ବୁନ୍ଧୁକ ଘେନି ଯମପରି

ଦିଅ ଯେ ଯମାଳୟେ ପୂରାଇ ଏହିକି ବୀରହ ଭାରି !

 

ଖାଇବା ଲାଳସା ତୁମର ଏତେ ହେଲା

ଅସଂଖ୍ୟ ଫଳ ମୂଳ ଥାଉଁ ଥାଉଁ ଖାଇଲ ଆମରି ଗଳା ।

ଛି ଛି ତୁମେ ହୀନ ଦେବତା

ନାହିଁକି ତୁମର ପିତା ମାତା

 

ନାହିଁକି ଆମର ସ୍ନେହ ସଂସାର

ଭାଙ୍ଗିଦିଅ କାହିଁକି ତୁମେ ଆମରିଘର ?

ହେଉ ତେବେ ଯାହା କରିବ କର

ବୁଦ୍ଧି ବିବେକ ନାଶହେଲେ ମାନବ ଯିବ ଯମପୁର

 

ଜୀବନେ ଦେଲ ଦେଖା ଆଜି ନୂଆସଖା

ତୁମର ମୋହର, ପରାଣ ପରଶ ଏଥର

ହେଉ ଏଣିକି ଚିରସ୍ଥିର ।

 

କେତେ ଆଶା କେତେ ଆଶଙ୍କା ବୁକୁରେ ଘେନି

ବୁଲିଛ ସଖା ବୁଲିଛ ଏକା, ଏଥର ବୁଲିବା ବେନି

ତୁମର ପ୍ରାଣର ବ୍ୟଥା

ପରାଣେ ଜାଗୁ ମୋର ଲେଖା ସେ କଥା

 

କେଉଁ ଦିବସର କେଉଁ କଥା ଅନ୍ତରେ ରଖିଛ ପୋଷି

ଏଣିକି ତୁମେ ପରଶିବ ଆସି ଅନ୍ତର ନିବେଶି ।

ସାଗର କୂଳେ ବସିବାଦୁହେଁ

ଆକାଶେ ଚାହିଁ ଅନ୍ତର ମୋହେ

 

ବସିବା ତହିଁ ଗଣିବା ବସି ସାଗରର ଊର୍ମିରାଶି

ସେହି ହେବ ଆମର ଜୀବନର ଧନ, ଦେବ ଚିତ୍ତ ସରସି

ଆସ ଆସ ନବସଖା

ନ ଶୁଖାଇ ମୁଖ ଦିଅ ଦେଖା

 

ବସିବା ଭାଷିବା ଅନ୍ତରେ ଡାକିବା ତାହାରେ

ଦୂରିବ ଦୁଃଖ ଭରିବ ପ୍ରାର୍ଥନା ଆମ୍ଭର ଚିତ୍ତପୁରେ ।

ଆଲିଙ୍ଗନ ମୋର ଘେନିବ କି କେହି

ହିଆ ପରଶ ପାଇଁ ଅଥୟ ମୁହିଁ ।

 

ରାତିସାରା ଶୋଇ ଚମକିଛି ମୁହିଁ ଥରକୁ ଥର

ଆସ ଆସ ତ୍ୱରିତ ବନ୍ଧୁ ଆସ ଏଥର ।

ରଜନୀ ସାରା ନିଶୀଥ ନିସ୍ତବଧ ପଡ଼ି ରହିଛି ମୁହିଁ ଏକାକୀ

ଏ ଘୋର ସଂସାର ଜାଙ୍ଗଳେ ଲଭିବାକୁ

 

ଥିଲା ଏ କଷଣ ଏଡ଼େ ଦୁଃଖଭାଗୀ ।

ଲୁପ୍ତ ଚନ୍ଦ୍ର ତାରା ସୁପ୍ତ ମାନବ ଜଗତ ସାରା ।

ରଜନୀ ଭୋରେ ଉଠିବେ ସେ

ବନ୍ଧୁ ବାନ୍ଧବ ଦେଖିବେ ସେ ହସିବେ ସେ

 

କାହାକୁ ଘେନି ରସିବି ମୁହିଁ

ଜଗତେ ମୋର କେହିକି ନାହିଁ ।

କାହିଁକି ମୋର ହେଲା ଏ ନରକ

ହାୟରେ ବିଧାତା କିପାଁ ପକାଇଲ ମୋତେ ଏ କୁମ୍ଭୀପାକ ।

 

ସ୍ତିମିତ ଆଲୋକ ପାଶେ, ଥରି ଥରି ଆସେ

ଚୋରା ମଳୟ ପବନ

ଆଣ ତେବେ ହେ ଅଦ୍ୟ ଜୀବନର ଆଦର

ସଖା ମୋ ପାଶେ ମୋ ବନ୍ଧୁଜନ ।

 

ଅଙ୍କୁଶ ମାର ଅଙ୍କୁଶ ମାର

ହେ ମଶକ ତୁମ୍ଭେ କି ଅଛ ଶତ ସହସ୍ର

ଅଙ୍କୁଶ ମାର

ଜୀବନେ ମୁହିଁ      ଅଙ୍କୁଶ ଖାଇ ଖାଇ

 

ନ ହେଲି ସିଧା

ଖାଇଲି ଯେତେ ବିଧା

ଏକଥା ଶୁଣିବ ଯେ କହିବ ସେ କିସ

ଏଡ଼େ ଅଲାଜୁଆ ନିତି ବସି କଷେ କିସ

 

ଖାଉ ଥାଏ ସିନା ସେ ନିତି ନିତି ବିଷ ।

ପରାଣ ମୋହର ବିଷରେ କଷା

ଆଉ କି ରାଧା ଆଉ କି ସୁଖ

ହେବ ମୋ କପାଳେ ବରଷା

 

ଯାଇଛି ଶୁଖି କପାଳ ମୋର

ଯାଉଛି ଯାହା ଅବା ଅଛି ବାକୀ ।

ଆଉ କେତେ ଦିନ ପରେ      ଏ ସଂସାର ଭିତରେ

ରହିବାକୁ ମୋତେ ହେବ ମନା ।

 

ଯିବି ମୁଁ ଛାଡ଼ି ଏ ଭୁବନ

ଯାହା ଅନାଇବୁ ଅନା

ରାଧାର ପରାଣ କୃଷ୍ଣରେ ନ ଭଜିଲେ

କୃଷ୍ଣରେ ନ ମଜ୍ଜିଲେ

 

ଜଗତ ଦିଶିବ ଅନ୍ଧାର

ଦଶ ଭୁବନ ହେବ ଅନ୍ଧାର

ନ ରହିବ କିଛି ମୂଲ୍ୟ ଜୀବନର

ଭଜ ଭଜ ଏବେ ସେହି କୃଷ୍ଣଧନ

 

ଜୀବନକୁ କର ଆଲୋକେ ପୁଲକେ ପୂର୍ଣ୍ଣ ।

ଅଙ୍ଗାଙ୍ଗୀ ଭାବେ  ଜଗତ ଯାକ ଧରା ପରା

ତ୍ରିଭୁବନ ଯାକ ଧରା ପରା

ମୁଁ ଖାଲି ବାସୁଛି ଭାଳି ମୁଁ ଏକାକୀ ।

 

ଜୀବନେ ଭବନେ ରହିବି ପରା

କେତେ ମିଛ ଖଚ କହି, କେତେ ପରିଶ୍ରମକରି

କେତେ କାର ଚୋରି ଧପ୍ପାବାଜି କରି

ଭାବୁଛି ଯେହ୍ନେ ଆଉକେହି ରହିବେ ନାହିଁ

 

ଏ ସଂସାରେ ମୁଁ ରହିବି ପରା ଏକାକୀ ହୋଇ

ଆଉ କାହାକୁ ନ ନେଇ

ରେ ମୁଗ୍ଧ ଜନ ! ତୋହରି ଜନତ ରହିବେ

ତୋହରି ସାଥେ

 

ସେତ ତୋହରି ଜନ ଭାଇ !

ତାଙ୍କର ସଂଖ୍ୟା ଅଳପ କଲୁ

ଆଉ ଅଳପେ ଅଳପେ ବଢ଼ାଇଦେ ଯାଇ ।

ଦେଖିବୁ ଅଙ୍ଗାଙ୍ଗୀ ଭାବେ ସକଳେ ତୋ ସାଥେ

 

ରହିବେ କେସନେ କେତେ ସ୍ନେହେ ପ୍ରେମେ ରହି

ଅଞ୍ଜନ ଲଗାଇଦେ ସକଳ ଆଖିରେ

ସକଳେ ମୋହ ଯାଇଁ ଆପଣା ପ୍ରେମରେ

ଅଞ୍ଚଳ ଆଣିଦେ ସକଳ ପାଇଁ

 

ଯାହାର ଅଞ୍ଚଳ ନାହିଁ

ଦେଖିବୁ ତୁହି କି ସୁଖ ଲଭିବୁ ତୁହି

ହୃଦୟ ପୁଲକିବ ସରସେ ସରସୀରେ

ପଦ୍ମ ଯେହ୍ନେ ମୁଗ୍ଧ ହୋଇ ।

 

ଅଞ୍ଜଳି ଭରି କୁସୁମ ଘେନି ଦେ ସଜଳ ଚରଣେ ବିତାଇ

ଦେ ସବୁ କୁସୁମ ସକଳ ହୃଦେ ବିଛାଇ ।

ଦେ ସବୁ କୁସୁମ ସକଳ କଣ୍ଠେ ଲମ୍ବାଇ

ଦେଖିବୁ ପ୍ରେମେ ପୁଲକିବ ତୋହର ତାହାର ହିୟା

 

ଜୁଆର ଆସିବ ପ୍ରେମରେ ମାତିବ

ନୋହିବ ଅନ୍ତର, ପ୍ରେମେ ମାତିଯା ।

ଅନ୍ତରଯାମୀ ଆସିବେ ତୋହର ପାଶେ

ଅଭାବ ତୋହର ରହିବ ନାହିଁ

 

ଅନ୍ତରାତ୍ମା ତୋର ପ୍ରସାଦେ ଭରିବ

ଭୁବନ ଦିଶିବ ସୁନ୍ଦର ମଧୁର ସବୁ ମଧୁର ହୋଇ

ଅନ୍ତର ଦୃଷ୍ଟି ତୋର କରରେ ଭାଇ

ସକଳେ ପ୍ରେମେ ପୁଲକେ ଥରାଇ

 

ରୂପ ନଗରେ ବୁଲି ବୁଲି ମୁହିଁ

ଅରୂପର ସନ୍ଧାନ ପାଇଲି ନାହିଁ

ଏବେ ରୂପରେ ନ ମାତି

ଅରୂପରେ ଯିବି ଭରି

 

ସଂସାରର ମୋହ ଏବେ ଯାଉ ମୋ ଠାରୁ ଅପସରି

ତାରକା ରହିଛନ୍ତି ଅନାଇ

ଯିବେ ସେ ଧୀରେ ଧୀରେ ଉଭାଇ

କେହି ରହିବେ ନାହିଁ

 

ସବୁ ଲୁଚି ଯିବେ ନାହିଁ

ରହିବେ ଅବା ସବୁ ଭାଇ

ରୂପର ସାଗର ପାରି ହୋଇ

ଅରୂପ ନଗରେ ରହିବେ ଯାଇଁ ।

 

ଯେ ଯାହାରେ ମଜ୍ଜେ

ରୂପ ତାହାର ତା ଠାରେ ସୁନ୍ଦର

ଲୟଲା ଠାରେ ମଜ୍ଜିଲା ମଜାନୁ

ରୂପଥିଲା ଲୟଲାର କଳାକାଠ ପରି

 

ମଜନୁ ତହିଁ ମଜିଲା ଯେବେ

ଦେଖିଲା ରୂପ ଭାରି

ଦୀର୍ଘ ନୟନ ଭ୍ରମରୀ ପରାଏ

ଭୁଲାଇଲା ପରା ମଜନୁ ଚିତ୍ତବନ

 

ହେଲା ତେଣୁ ତାହାର ଗୁଞ୍ଜନେ ଅତି ଶୋଭାବନ

ଆଖିରେ ଅଛି କାହାର ଶୋଭା

କିଏ କଥାରେ ପ୍ରେମରେ ମନ ଲୋଭା

ରୂପରେ ଅଛି କେତେ

 

ସୁଖରେ ମଜ୍ଜେ ଯେତେ

ଖାଲି ରୂପରେ ନୁହେଁ ଗୁଣରେ ପୁଣି ଅଛି ସତେ ।

କେତେ କେତେ ଲୟଲା ମୋର ମଜନୁ ସାର

ମୋହର ହୁଅ ତୁମ୍ଭେ ମୋ ସଖା ପ୍ରେମର ସାର ।

 

ରଜନୀ ଭୋରେ ବଳୟ ବଜାଇ

କିଏ ସେ ସେହି ଚାଲିଗଲା ମୋର ଦୁଆରେ

ତାରକା ରହିଅଛନ୍ତି ଅନାଇ

ଦେଖି ହସି ଦେଲେ ସେ ରୂପ ସହି

 

ଅଭାଗା ମୁହିଁ ସେ ରୂପ ଦେଖିବାର ଭାଗ୍ୟ ନାହିଁ ।

ଶୁଣିଲି ସତେ ଥରେ ଦୁଇଥର

ବଳୟ ବାଜଣା ତାର

ଅନୁମାନେ ସିନା ଆଣିଲି ପାଶେ ମୋହର

 

ଧରା ନ ଦେଲା ସେ

ଈଷିତେ ହସି ଚାଲି ଗଲା ସେ

ବସି ବସି ମୁହିଁ ଚାହିଁଲି ରହି

ତାରକା ଯେତେ ରହିଲେ ମୋ ସାଥେ ବସି ରହି ।

 

ଜୀବନେ ଯେତେ ଦିନ ଏହିପରି ଥରେ ଥରେ

ପାଉଥିବି ପ୍ରେମ କଳ୍ପତରୁ ପଲ୍ଲବ ସଞ୍ଚାର

ମନେ ମନେ ହେବି ଧନ୍ୟ ସକଳ ଅଧନ୍ୟତା

ମୋର ଯିବ ଅପସରି, ଦିବ୍ୟ ହେବ ମୋର ସଂସାର ।

 

କଂଙ୍କଣ ନିକ୍ୱଣ ନିତି ଶୁଣିବି କେତେ କ୍ଷଣ

ରଜନୀ ସଜନୀ ବେଶ ପିନ୍ଧି ରହିଛି ରାତି ମାନ

ତାରକା ବାରତା ଶୁଣି ଶୁଣି ନୟନ ତନ୍ଦ୍ରା କ୍ଷୀଣ

ଭାମିନୀ କାମିନୀ ଗରବ ଗାମିନୀ କଂକଣ କରେ ରଣ ରଣ ।

 

ଅନୁକୂଳ ଅତିବେଳ ଆସି ପହଞ୍ଚିଲେ ହୁଅଇ ତନୁକ୍ଷୀଣ

ଦକ୍ଷିଣୁ ମଳୟ ଆସେ ଯେବେ ବୋହି ଧୃଷ୍ଟ ଅଳିଗଣ

ଘେରନ୍ତି ଯେବେ ମୋହି ମୋହି ତାହାକୁ ଲଭିବାକୁ

କରିବି କି ଶଠ ପଣ ।।

 

ପ୍ରେମିକ ସିନା ପ୍ରେମରେ ରହି

ଜୀବନେ ଦେଲେ ମଧୁ ବିତାଇ ।

କାହାର ପ୍ରେମେ ଆନନ୍ଦ ଘନ

ଭରିଥିଲେ କହ ପ୍ରୀତି ସୁଜାନ

 

ତୋହରି ପ୍ରେମେ ଭରି ରହି ଜୀବନ

କଲେ ସିନା ମଧୁରେ ପ୍ରେମ ପୁଷ୍ପ ବନ

ନାଗରୀ ଦାସେ ପଡ଼ିଲେ ପ୍ରେମେ ଜାଣ

ବନୀ ଠନି ମଜାଇଥିଲ ତାଙ୍କ ମନ ଜାଣ

 

ରସ ଖାନି ତୁମେବି ଥିଲି ପ୍ରେମିକ ଜନ

ପ୍ରେମ ବିନା କି ଜୀବନ ନ ଲାଗେ ପୂର୍ଣ୍ଣ

ସଂସାରୀ ପ୍ରେମରୁ ଗଲେ ଲୋକୋତ୍ତର ଦେଶେ

ପ୍ରେମିକା ଅଗାର ଭୁଲିକି ପାରିବ ମନ ପରଶେ

 

ବନୀ ଠନି ସୁଜାନ ତୁମେ ବି ଧନ୍ୟ

ପ୍ରେମିକ ବନାଇଲେ ଆପଣା ଜଣ ।

ନିନ୍ଦା ଲାଗିଲା ନାମେ କାହାର

ପ୍ରେମେ ମିଳିଥିଲେ ଯେଉଁ ନାରୀ ନର

 

ହେ ଅଭିମନ୍ୟୁ ଦେଲ ଇଚ୍ଛାରେ ଜୀବନ ସାରି

ଘାରି ଦେଲା ପ୍ରାଣ ତୋହର ହାୟରେ ଭାରି ।

ରମଣୀ ମଣିଟି ଲାଜରେ ଏଡ଼େ ପଡ଼ିଲା କୂଅରେ

ବସିଲ ଆସି ଯେବେ ତୁମ୍ଭେ ଦାଣ୍ଡ ଦୁଆରେ

 

ସଂସାର ନିୟମ ପ୍ରେମକୁ ନ ଦିଏ ସାହାଯ୍ୟ

ମରଇ ଜୀବନ ପ୍ରେମରେ ଭରେ ଯେହୁ ଆଜ ।

ଯାହା ହେଉ ପଛେ ଜଣକ ପାଇଁ ଜଣେ

ପ୍ରେମରେ ଦିଏ ଆପଣା ପ୍ରାଣ ଘାରି କେଉଁ ମନେ ।

 

ପ୍ରସରୁଛି ନାସାନିଳ କି ସୁଖରେ

ବନ୍ଧୁଜନ ଆଜି ଦେଇଛ ଦରଶନ

ପ୍ରଭାତ ସମୀର ଲାଗିଛି ଅନ୍ତରେ

ଆସିଛି ତା ସହିତ ବନ୍ଧୁ ଜନରେ ।

 

ଦେବତା ଦରଶନ ଅଗ୍ରତେ କିସୁନ୍ଦର

ଭାଗ୍ୟ ଯେବେ ଆସେ ଆସେ ଏହି ପ୍ରକାର

ପୁଣ୍ୟ ଯେବେ ଅର୍ଜିବାର

ହୁଏ ସିନା ଆଗତ ଏହି ପ୍ରକାର ।

 

ଆହୁରି ଯେତେ ପ୍ରିୟ ସତେ

ଆସନ୍ତ ଉଇଁ ଦିଅନ୍ତି ଦେଖା ଅଯାଚିତେ ।

ଏତେଦିନେ, ଦିନେ ଊଷା ଅନ୍ଧାରେ

ପବିତ୍ର ସେ ଦରଶନ ପୁଣ୍ୟ ସୂଚକ ସତେ ।

 

ପ୍ରିୟ ! ମୋ ସାଥେ ହୋଇଲ କଥା

ବିରହ ମୋହ ଲିଭିଲା ଗଲା ବ୍ୟଥା

ପୁଣ୍ୟ ମୋହର ସୁଚାଇ ଦେଇ ଚାଲିଗଲ ପ୍ରଭାତ ସହିତେ

ଆହୁରି ମୋହର ସୁଖୀଜନ ଯେତେ

 

କରିଛନ୍ତି ଆପଣାର ମତେ ।

ଦେଇଛନ୍ତି ଆନନ୍ଦ ଅବ୍ୟାଜେ

ଆଜି ସତେ ମୋର ଦଶଦିଗର ଅନ୍ତରର ଦେବତା ବିଜେ ।

 

ପାହିଗଲା ପାହିଗଲା ରଜନୀ

ରାବିଦେଲା ରାବିଦେଲା କୁକ୍କୁଟ କାମିନୀ

ଉଠଗୋ ଉଠଗୋ ସୁହାଗ ସଜନୀ

ପଳାଇଲେଣି ଅନ୍ଧାର ରଜନୀ

 

ସରଗ ଶଶୀ ଗଲେଣି ଲୁଚି

ଏବେ ଭାଳିଲେ କିଛି ଲାଭ ହେବକି

ଉଇଁବେ ତପନ ଏବେ କର ପୂଜା ମନ ଇଛି

ଦିଗେ ଦିଗେ ଗଲା ଲୁଚି ଅନ୍ଧାର

 

ଦିବସେ ବୁଲିବ ସିନା ଏବେ ହୋଇ କାତର

ସଜନୀ ଦିବସ ରଜନୀ କାହାର କୋଳେ

ଭୋଳହୋଇ ରହିକୁହ ଅନାଥ ଅନନ୍ତରେ କିଏ ଛଳେ ।

ରହିଛନ୍ତି ସୁନ୍ଦରେ ରଜନୀ ପ୍ରଭାତରେ ।

 

ନାହିଁ ମୋର ପିତା ମାତା

ସ୍ୱର୍ଗ ମର୍ତ୍ତ୍ୟ କରିଛି ମୋର ପିତା ମାତା ।

ନାହିଁ ମୋର ଦିବ୍ୟ ଶକ୍ତି

ସାଧୁତା ମୋର, ମୋର ସବୁ ଶକ୍ତି ।

 

ନାହିଁ ମୋର ଉପାୟ

ନମ୍ରତାହିଁ ମୋର ଏକମାତ୍ର ଉପାୟ ।

ନାହିଁ ମୋର ମନ୍ତ୍ର ଶକ୍ତି

ଅନ୍ତରର ଶକ୍ତି ମୋର ଜୀବନର ଶକ୍ତି ।

 

ନାହିଁ ମୋର ଜନ୍ମ ନାହିଁ ମୋର ମୃତ୍ୟୁ

ଅନନ୍ତ ଜୀବନ ମୋର ଜନ୍ମ ମୃତ୍ୟୁ l

ନାହିଁ ମୋର ଶରୀର

ଧୈର୍ଯ୍ୟ ମୋର ଏକମାତ୍ର ଅସ୍ତ୍ର ।

 

ନାହିଁ ମୋର ଚକ୍ଷୁ

ତଡ଼ିତ ମୋର ଚକ୍ଷୁ

ନାହିଁ ମୋର ଶ୍ରୋତ୍ର

ସଙ୍ଗୀତ ତରଙ୍ଗ ମୋର ଶ୍ରୋତ୍ର

 

ନାହିଁ ମୋର ଅଙ୍ଗ

ତତ୍‌ପରତାହିଁ ମୋର ଏକମାତ୍ର ଅଙ୍ଗ ।

ନାହିଁ ମୋର କଳ୍ପନା

ସମୟ ସୁବିଧା ମିଳଇ ଯେବେ ତେବେ ଜଳ୍ପନା ।

 

ନାହିଁ ମୋର ଆଶ୍ଚର୍ଯ୍ୟ

ଧର୍ମ ମୋର ଏକମାତ୍ର ଐଶ୍ୱର୍ଯ୍ୟ ।

ନାହିଁ ମୋର ଅନ୍ୟ ମତ

ଜୀବନେ ନତ ହୁଏ ମୁଁ ସକଳ ସାଥ

 

ନାହିଁ ମୋର ଆନ ବନ୍ଧୁ

ମନ ମୋର ବନ୍ଧୁ ସିନ୍ଧୁ ।

ନାହିଁ ମୋର କେହି ଶତ୍ରୁ

ଅସାବଧାନ ହେଲେ ତୁହି ମୋତେ ମାରୁ ।

 

ନାହିଁ ମୋର ଆନ ବର୍ମ

ଶୁଭ ପ୍ରୀତି ଧର୍ମମତି ମୋହର ବର୍ମ ।

ନାହିଁ ମୋର ଦୁର୍ଗ

ମନ ମୋର ଅଟଳ ସ୍ୱର୍ଗ ।

 

ନାହିଁ ମୋର ତରବାରି

ମନର ଶାନ୍ତି ମୋର ଏକମାତ୍ର ତରବାରି

ମନୋହର ମନୋହର ବିଳାସ ହାସ

ମଧୁର ମୃଦଙ୍ଗ ସୁନ୍ଦର ମୁରଲୀ ଶ୍ୱାସ

 

ଲୀଳାବତୀ ମାନବତୀ ବସି ବସି ଆଶ୍ୱାସ

ଲଭନ୍ତି ସଙ୍ଗୀତ ମନ ଛନ୍ଦେ କି ବିଶ୍ୱାସ ।

କାହାର ବଙ୍କିମ ଚାହାଣୀ ରୁଦ୍ରରସେ ଭରା

ନୃତ୍ୟ କାହାର ଊର୍ମି ଉଚ୍ଛ୍ୱାସ ସାଗରର ପରା

 

ଲଲାଟେ ଜ୍ୱଳେ ଅଗ୍ନି ପ୍ରଳୟ ପୟୋଧି ଗଙ୍ଗାନଦୀ

ଶ୍ମଶାନ ଜାଳେ ମୁଣ୍ଡ ମାଳେ ଅହି ରହି କରେ ଆମୋଦୀ ।

ଫଣୀ ଫଣା ଘେନି କାରବାର ଯାହାର

କଣ୍ଠ ନୀଳ ବିଷ ଭକ୍ଷିବାର ।

 

ସଂସାର ରକ୍ଷିବାର

ଅମୃତ କାହାର ଆଶୀର୍ବାଦ

ବିରୋଧ ଭାବେ ପୂର୍ଣ୍ଣ କିଏ ସେ ଶମ୍ଭୁ ପାଦ ।

କଟାକ୍ଷ କାହାର ଜ୍ୱଳେ ଲହ ଲହ

 

ଆଣେ ନୃତ୍ୟେ ତାହାର ଅସୀମ ପ୍ରଳୟ ।

ଡ଼ମ୍ବରୁ କାହାର ହାତେ ବାଜେ ଡିବିଡିବି

ଶିବ କାହାର ନାମ କହ ଆହେ ଶିବ ।

ମୃତ୍ୟୁର ଛାୟା କରାଳ ଘେରେ

 

କାହାର ପଶ୍ଚାତେ ରହେ ରେ ।

ଭୀଷଣ ସେହି ଶିବ ଶଙ୍କର

କାହିଁକି ଭୀତ ହୁଅରେ ।

ସେ ପରା ପାର୍ବତୀ ପରାଣ

 

ନୃତ୍ୟ କରିବେ ପୂର୍ଣ୍ଣ ମନ

ଆନନ୍ଦ ଯାହାର ଶିବ ସୁନ୍ଦର

ରୂପ ତାହାର ହେଲେ ପ୍ରଳୟଙ୍କର

ଅଛି ଅଛି ଶଙ୍କର ସ୍ୱରୂପ

 

ସେ ଯେ ଶିବ ସୁନ୍ଦର ଶାଶ୍ୱତ ରୂପ ।।

ମୋ ଜୀବନ କାହାଣୀ

ଖାଲି ମୋତେ କି ଘେନି

ଯାହାର ଯାହାର ସାଥେ

 

ଆସିଛି ମୁହିଁ ଦିବସ ରାତେ ।

ସକଳେ ସେହି ଅଛନ୍ତି ସତେ

ଅତି ବିଚିତ୍ରେ ଜଡ଼ାଇ ମୋ ସହିତେ

କହିବି କି କଥା କାହାରେ

 

ଜୀବନ ମୋହର ନାହିଁରେ ।

ଯାହାର ଯାହା ଥିଲା ମୋ ଜୀବନେ ସିନା ତାଳି ଦେଲା

ମୋହର କିଛି ନାହିଁ ମୁଁ ଯେ ପାରିହେବି ତାଙ୍କରି ସାଥେ ।

ପାରିହେବି ଏ ଜୀବନ ବେଳା

 

ପରାଣ ମୋହର ଜୀବନ୍ତ ନୁହେଁ

କୁସୁମ ତହିଁ ଫୁଟନ୍ତ ନୁହେଁ

କୁସୁମ ତଳପେ ବାସନା ମୋର ମରି ମରି ଯାଉ

ବାଲିର ଉପରେ ବସି ବସି ସେହି ମୋ ଦିବସ ନେଉ ।

 

ତାହାର ସାଥେ ମୋହରି ହାତେ

ରହିବା ଦିନ ବାକୀ ଯେତେ ଦିନ

ସେତିକି ହେଲେ ପରାଣ ମୋହିବ

ସୁନ୍ଦର ହେବ ମନ ।

 

ଆସିଛ ଯଦି ଚନ୍ଦ୍ରମୋର ରୁହ ଆଉ କିଛି କ୍ଷଣ

କାହଁକି ଯାଅ ପଳାଇ ଏଡ଼େ ତ୍ୱରା ବହି ।

ମୁଁ ପରା ଜୀବନଯାକ  ତୋହରିପାଇଁ ଦେଖ

ଥକି ଥକି ବୁଲି ବୁଲି ଆସିଛି କାଟି ଏତେ ପଥରେଖ

 

କୋକିଳ ଯେବେ ଯିବ ଚାଲି

ବସିବି ସିନା ମୁହିଁ ଭାଳି

ବସନ୍ତ ଯେବେ ହେବ ସ୍ଥଗିତ

ମୋହର ପ୍ରାଣ ହେବ ସିନା ମୃତ

 

କାହାକୁ ଘେନି କହ ଅନାଇ ରହିବି

ହେ ମୋର ଚନ୍ଦ୍ର ରହିଥା ତୁହି ମୋହର ସାଥେ

ବିଜନେ ଏକାକୀ ବସି ରହିବି ।

ମୌନ ମୋର ସକଳ ଆଶା ସୁପ୍ତ

 

ମୋର ଯେତେ ଭରସା

ସବୁ ହେଲା ଲୁପ୍ତ ତୁମେ ଯେବେ ସବୁ ଚାଲିଯିବ

ଆସ ସଖା ବେଳ ଗଲା ୟାଙ୍କରି ପାଶେ ରହିବ ।

ସାରାଟି ଦିବସ ଶୋଇଲି ମୁହିଁ

 

କଏ ଆସିଥିଲା କିଏ ଚାଲିଗଲା

ଜାଣିପାରିଲି ନାହିଁ ।

ଦିନଟି ଯାକ ଏପରି ଗଲା

ଦିନ ପରେ ମାସଟି ମୋର

 

ମାସ ପରେ ବର୍ଷ ବର୍ଷ ଗଲା, ଗଲା ।

ଶରତ ବସନ୍ତ ଶିଶିର ଗ୍ରୀଷ୍ମ

କାନନ କାନ୍ତାର ସାଗର ଭୂଧର

ସବୁ ଆସିଲେ ସବୁ ରହିଲେ

 

ଚାଲିଗଲେ ପୁଣି କେତେ ।

ଚନ୍ଦ୍ରଟି ମୋହର ଜୀବନ ସାଥୀ

ଲକ୍ଷ୍ମୀ ମୋହର ସାଥେ ରହିଛନ୍ତି

ସକଳ ସାଥୀ ଆଉରି କେତେ

 

ବିଜନ ବିପିନ ସାଥୀ ଯେତେ

ହେ ପ୍ରିୟ ହେ ମଧୁର

ହେ ବିଜୟ ଲକ୍ଷ୍ମୀ

ପରଶ ଲଭିବି ତୁମ୍ଭର

 

ସଦା ଏହି ଇଚ୍ଛା ମୋର ।

ଅଧଟିଏ କଥା ତାର

ଅଧଟିଏ ହସ ତାର ଅଧରେ

ସେହି ମୋର ଲକ୍ଷେ ସୁନା ହାୟରେ ।

 

ଜୀବନେ ତାହାକୁ ସଦା

ରଖିବାକୁ ପାଶେ ପାଶେ

ମନ ମୋର ସଦା ହରଷେ

ହରଷେ ତା ପରଶେ ।

 

ଲାଳସେ କାହାର

ଜୀବନେ ବୁଲେ ମୁହିଁ

ସୁନ୍ଦର ମଧୁର ମୂରତି

ଦେଖିଲେ ଯହିଁ

 

ମନମୋର ଲାଖିଯାଏ ସିନା

ଫିତା ଅଧଟିଏ ଝୁଲୁଛି ବଦନେ

ତାହା ସରୋଜ ସୁନ୍ଦର ବଦନେ।

ବାଳିକାଟି ସେହି ସୁନ୍ଦର ବଦନ

 

ଫିତାଟି କରିଛି ଚିତ୍ତ ବିମୋନ ।

ରୁଦ୍ରଭୀଷଣ ମହା ପ୍ରଳୟଂକର ହେ ବିଧାତା

ଜୀବନର ଶଙ୍କା ବଜାଅ କି ଡଙ୍କା

ସାରାଟି ରାତ୍ରି ଭୀଷଣ ଯାତ୍ରୀ

 

କିଏ ସେ କିଏ ସେ କହ ।

ତୁମେତ ତୁମେତ ଚିହ୍ନିଛି ମୁହିଁ

କାହିଁକି ଏ ଭୀଷଣ ରୂପ ବହ

ଆସିଛ ମର୍ତ୍ତ୍ୟେ ଏକି ନୃତ୍ୟ

 

ତାଣ୍ଡବ ଦାଣ୍ଡବ

ମହାମାନବ ହେ ମହାମାନବ ।

ଈଶ୍ୱର କି ତୁମ୍ଭେ କରାଳ ହେ ଦମ୍ଭେ

ଚୂର୍ଣ୍ଣିବାକୁ ମାନବର ଦମ୍ଭ

 

ଗର୍ଜୁଅଛ ଭୀଷଣ ହୁଁ କାରେ

ଯେହ୍ନେ ସେ ତୁମ୍ଭ ପରିରମ୍ଭ

ଧ୍ୱସ୍ତ କରି ନଷ୍ଟ କରି

ଧସାଇ କନ୍ଦାଇ ଛନ୍ଦାଇ ଗଲ ଚାଲି

 

ହେ ରୁଦ୍ର ଏହି ମୋର ଅଳି ।

ଘୃଣାରେ ମନ ଗୋଳି ଘାଣ୍ଟି ହୋଇଗଲା ମୋର

ଶ୍ୟାମ ସିନା ଦଗାବାଜି  କଲା ରାମ ସହିତର

ଦୁଇ ବନ୍ଧୁ କେତେ ପ୍ରୀତି ସାଥୀ ହୋଇ ଖେଳୁଥିଲେ କହ

 

ଆଜି ଯୌବନେ ଏକ ଆରେକ ଠାରେ ଏତେ ଈର୍ଷାବହ ।

ଶ୍ୟାମ ଥିଲା ଚତୁର ଚଞ୍ଚଳ ବୁଦ୍ଧିମାନ ।

ରାମ କିଛି ଊଣାନୁହେଁ ମାତ୍ର ସ୍ଥିର ଗୁଣବାନ ।

ରାମକଲା ଆଇ. ସି ଏସ୍, ପାସ୍, ହେଲା ମେଜେଷ୍ଟର

 

ଶ୍ୟାମ ସହି ନ ପାରେ ତା ତଳେ ରହିବାକୁ

ଯେଣୁ ସେ ଡେପୁଟି ମେଜେଷ୍ଟର ।

ଦିନେ ଯାଉଥିଲେ ଚଉଦୁଆରେ ଡଙ୍ଗାରେ

ଖେଳ କଉତୁକରେ ଶ୍ୟାମ ଦେଲା ଗଡ଼ାଇ ନଦୀ ଗର୍ଭରେ ।

 

ଉଠିଲା ରାମ କିଛି ବୁଝି ନ ପାରି

କିଛିଦୂର ଯାଇଛନ୍ତି ଶ୍ୟାମର ଚଞ୍ଚକତା ପରି ।

ହୋଇଲା କ୍ଷୁବ୍ଧ ଶ୍ୟାମ, ଛୁରିରେ କୁତା ରାମର

କାଟିଲା ଗଭୀର କରି କଟିଲା ନଖ ପୟର ।

 

ଦେଖି ଦେଖି ଏହା ଭାବିଲି ଆହା ଏ କି ରୀତି ଜଗତର

କେତେ ଦିନ କି କଥା କରନ୍ତି ଜୁହାର ବାପା ଜୁହାର ।

ବାଳକ ତୁମ୍ଭେମାନେ ଏତେ ଏତେ

ବାହାରିଛ ଜଗତ ପଥେ

 

କରିବାକୁ ଜୟ ଜୟ

ହେବାକୁ ବୀର ବୀର ।

ଆଶୀର୍ବାଦ ଘେନ ମୋର ବାଳକେ

ଜଗଦ୍‌ବୀର ହୁଅ ଯେତେ

 

ଚାଲି ଧର୍ମ ପଥେ କର୍ମ ପଥେ

ବୀର ହୋଇ ବୀର

କାହାକୁ ନ ଡର ।

ଉଠ ଉନ୍ନତି ଶିଖର

 

ଜ୍ଞାନ ଶିଖର

ହୁଂକାର ଜୟ ଶଙ୍କର

ହୁଅ ଉତ୍କଳ ବୀର

ତୋଷାମୋଦକାରୀ ଖୋସାମୋଦ କାରୀ

 

ଦେମୋକ୍ଳିସ ତରବାରି

ମନେରଖ ମନେରଖ ଭାରି

ଡାୟୋନିସିଆସ ରାଜା ପାଶେ

ଏହି ଖୋସା ମୁଦିଆ

 

ରାଜାହୋଇ ଲିଭିଥିଲା ଯେଉଁ ଭାଣେ

ଭୟେ ଖାଇଥିଲା ଜାବୁଡ଼ିଆ

ଆଉଦିନେ ମୋହିଲା ସେ ରାଜା

ନୋହିଲା ସେ ଖୋସାମୁଦିଆ

 

ବାବୁମାନେ ଆମର ମନେ କର

ଦେମୋକ୍ଳିସ ମୁଣ୍ଡ ଉପର

ଉନ୍ମୁକ୍ତ ତରବାର

ଝୁଲୁଥିଲା ଖଣ୍ଡିଏ ସୂତା ସହିତର

 

ରାଜା ଜୀବନ ନୁହେଁ ସୁଖର

ନୁହେଁ ଗୌରବର

ତୋଷାମୋଦିଆର ଜୀବନ

ଆହୁରି ଭୟଙ୍କର ।

 

ଆସ କିଷାଣ ହୃଦସିଂହାସନ,

ବସ ଅଚିରେ ଜଗନ୍ନାଥୀ

ସାରି ଦିବାର କାମ ପିଆର କତି

ବଡ଼ ମଧୁରେ ଜାଳଇ ବତି ।

 

ଜଗତ ନ ଛୁଏଁ ତାକୁ ସେ ଯେ ବସେ

ଅତି ସରାଗେ ପତ୍ନୀକୋଳ

ହେଉ ସେ ଅଧମ ଧନ୍ୟ ଭଗବାନ

ଦେଇଛ ହେ ପ୍ରେମଭୋଳ ।

 

ବସି ସାଥେ ତବ ଦିବସ ନିଏଁ ସୁଖେ

ବଡ଼ ସୁଖରେ ବଡ଼ ସୁଖରେ

ତାହାର ପାଇଁ ମୋ ହୃଦ ପୁଲକେ

ଅସ୍ପୃଶ୍ୟ କି ସଂସାରେ ।

 

ଏ ବ୍ରଜ ବନରେ ଜଗତ ମେଳରେ

ସମସ୍ତେ ଯେ ସମାନ ଗୋ

ସତିର କତି ନିଅ ପ୍ରେମେ ଭିଡ଼ି ଅତି

ନକର ନକର ତୁ ମାନ ଗୋ

 

ପ୍ରାତର ଶିର ଶିର ହେଲାଣି ଆରମ୍ଭ ହେ

ଶୀତର ଆଗମନ ସୁଚଇ କି ସେନେହେ ।

ମାସ ମାସ ଆସଇ ବଦଳେ ଋତୁ ତହିଁ

ଗ୍ରୀଷମ ଯାଇ ଆସେ ବରଷା ଦୟା ବହି ।

 

ଶରତର ସୁଷମା ମିଳି ଯାଏ ଗୋ ଶୀତେ

ଦେଖୁଁ ଦେଖୁଁ ବସନ୍ତ ଆସେ ପିକ ସହିତେ ।

ଜଗି ବସିଲେ ମୁହିଁ ଦେଖା ସେହି ଦିଅନ୍ତି

ଜବ ଆଗମନ ଯେ ତାଙ୍କର ନିତି ନିତି ।

 

ଦୁଆର ଆଉଜି ମୋ କାନ ଡେରି ବସଇ

ତେବେ ସିନା ମଧୁରେ ଆସ୍ୱାଦନ ମିଳଇ ।

ନିତି ଜାଗ୍ରତ ଯେହୁ ନିତି ମିଳନ ତହୁଁ

ଚରାଚର ସଂସାର ଘେରି ରହିଛି ସେହୁ ।

 

ମୁହୂର୍ତ୍ତେ ବସ ସ୍ଥିର ପାଇବ ନିଶ୍ଚେଁ ତାଙ୍କୁ

ତାଙ୍କ ସହ ଯେହୁ ଗୋ କରଇ ଗାଢ଼ ପ୍ରୀତି

ସଂସାର ଅବହେଳେ ନ ଥାଏ ଦୁଃଖ ଆର୍ତ୍ତି

କୋକିଳ ମଧୁ ମାସେ ପ୍ରିୟେ ପୀରତି ଶୀତେ

 

ଶରତେ କାଶତଣ୍ଡୀ ଶୁଣ ମୋର ଲୁଭିତେ ।

ବର୍ଷାର ଗରଜନେ ଗ୍ରୀଷମର ଦୁର୍ଦ୍ଦିନେ

ଜଡ଼ିତ ତୋ ସହିତେ ଗୋ ମୁଁ ତାଙ୍କ ଗହଣେ ।

ଚାଲିଯିବା ସଂସାରୁ ଅଭିନୟ ସାରି ଗୋ

 

ସେ ପାରେ ଭାଳିବା ଯେ ପ୍ରିୟେ ପାଶେ ବସି ଗୋ

ପ୍ରିୟ ! କାନ୍ତ ! ମଧୁର । ଆସ ଆସ ହେ ଚିର

ଅଚିରେ ସ୍ଥାୟୀ ହୁଅ ପାଶେ ହେ ସୁଚିର ।

ସୂର ଦାସ ମୋର ଘେନ ନମସ୍କାର

 

କେଉଁ ପ୍ରଣୟନୀ ଧିକ୍କାରେ

ଆପଣାର ଚକ୍ଷୁ ଫୁଟାଇଲ ଆପଣା ହାତରେ ।

ଧନ୍ୟ ସୂର ଦାସ ମୋର

ଘେନ ଘେନ ନମସ୍କାର

 

ଅର୍ଜିଲ ଅକ୍ଷୟ ଯଶ

ବିସ୍ତାରିଲ ଅପୂର୍ବ ବାତ୍ସଲ୍ୟ ରସ

ସୂର ସାଗରେ ସ୍ନାନ ଯେ କରେ

ନିତ୍ୟ ନିର୍ମଳ ହୋଇ ସେ ବାହାରେ

 

ଜନ୍ମ ଯହିଁ ମୃତ୍ୟୁ ଯହିଁ

ଜନ୍ମ କେବେ ମୃତ୍ୟୁ କେବେ କାହିଁ ।

ଜନ୍ମ ନିତ୍ୟ ତବ ଭକ୍ତ ହୃଦେ ଏ ଭବ

ମୃତ୍ୟୁ ତୁମ୍ଭର ନାହିଁ

 

ଜନ୍ମ ତୁମ୍ଭର ପ୍ରତି ଭକ୍ତ ହୃଦେ ।

ଆଉ ସ୍ଥାନ କାଳାକାଳ ନାହିଁ ।

ସୂର ଦାସ ମୋର

ଘେନ ଘେନ ନମସ୍କାର

 

ଅନ୍ଧ ତୁମ୍ଭେ ଜ୍ଞାନାଲୋକ ବିସ୍ତାର

ପ୍ରେମାଲୋକ ବିସ୍ତାର

ଧନ୍ୟ ଧନ୍ୟ ସୂର ଦାସ ମୋର ।

ଘେନ ଘେନ ମୋର ଅଞ୍ଜଳି ଭରା ନମସ୍କାର ।

 

ଆସ ଆହେ ଶୁକ

ଶୁଣାଅ ପୁଣି ଥରେ

ସେ ଧର୍ମ କଥା ସେ ଧର୍ମ ଗାଥା

ଶୁଣାଇଥିଲ ଯାହା ଦ୍ୱାପରେ ।

 

ରାଜରାଜେଶ୍ୱରେ ସନ୍ନ୍ୟାସୀରେ ।

ଶୁଣାଅ ଏଥର ଆସି

ପୁଲକାଅ ସକଳ ଜଗତ ବାସୀ

ଘରେ ଘରେ ଆଜି ଅଭାବ ମନୋମାଳିନ୍ୟ ।

 

ମଦ ବିକାହେଲା ଗାଁ ଗାଁରେ

ସାରିଦେଲା ବଂଶ ଆମ୍ଭର ।

ଶୁଣାଅ ହେ ଶୁକ କେବେ ହେବ ଏ ନାମ ଧ୍ୱଂସ ।

ପାପ ପ୍ରଣୟ କରି ଦେଲା ସାରି

 

ସକଳ ଜନ

ବଢ଼ାଇଲା କଳୁଷ

କାନ୍ଦ ମାଡ଼େ ଦୁଃଖ ହୁଏ କିଛି କରିବାର ଶକ୍ତି ନଥାଏ

ହଂସ କୋକ କୋକିଳ ଆଦି ଯେତେ ଅଛ

 

ଆସ ଆଜି କାନ୍ଦ କନ୍ଦାଅ

ଜଣାଅ ଆମ ସହିତେ ବିଭୁପାଦେ ଏହିକଥା

ସାରିଦେଲା ଆମ ଧର୍ମ କର୍ମ ଭୁଲାଇଲା ସଇତାନ ଯଥା ।

ଅଶୋକ ଶିରୀଷ ପଙ୍କଜ ଚମ୍ପକ

 

ଆସ ଆଜି ସକଳ ଶୋଭା ସଂପଦ ଛାଡ଼ି

ଖାଲି ବିଧାତା ଠାରେ ଆମ୍ଭ ସାଥେ କହଅଳି

କିପରି ପାଇବୁ ରକ୍ଷା ଏହାଙ୍କ ହାତରୁ କାହାକୁ ଧରି

ସଖି ! କାହିଁ ରଖିବି ଏ ନେତ୍ରେ ଲୋ ସଖି

 

ଯେଣେ ଚାହିଁଦେଲେ ତେଣେ ସେ

ଦିଶନ୍ତି ଜାଣେ ଏ କିସ ବିଚିତ୍ର ଲୋ

ଏ ବଡ଼ ଅପୂର୍ବ ହେଲା ବୋଲି

ପୂର୍ବ, ପାଶକୁ ଚାହାନ୍ତେ ଫେରି

 

ଯମୁନା ତନ୍ମନା ହୋଇ ବହୁଛନ୍ତି

ନୀଳିମା ଛବିକି ଧରି ଲୋ ସଖି

ଦେଖି ଏ ଲକ୍ଷଣ ପାଲଟି

ତକ୍ଷଣ ଈକ୍ଷଣ କଲି

 

ସେ ଦିର୍ଗଗ ହୁନ୍ଦର ପୁଣି ପୁରନ୍ଦର,

ନୀଳମଣି ତା ଛଇଳି ଲୋ ସଖି

ପଶ୍ଚିମକୁ ଆଜି ଚାହାନ୍ତେ ମୁଁ

ଢ଼ାଳି ଗିରି ଗୋବର୍ଦ୍ଧନ ଶୋଭା

 

ନବ ପଲ୍ଲବେ, ତରୁଲତା ମଣ୍ଡିତ

କୋଟି ମରକତ ଆଭା ଲୋ

ଭାଜିଲା ଚାତର ହେଲି ମୁଁ

କାତର ଉତ୍ତରକୁ ଦେଲି ଦୃଷ୍ଟି

 

ସେଦିଗେ ତମାଳ ବନ ମାଳି ମାଳ ସେ

ଶ୍ୟାମଳ ଶୋଭାସୃଷ୍ଟି ଲୋ ସଖି ।

ଆକାଶକୁ ଦୃଷ୍ଟି ଦେଲିରେ

ବିମ୍ବୋଷ୍ଠି ଛିନ୍ନ ଚିତ୍ତ ଦକ ଦକ

 

ସେ ନନ୍ଦନନ୍ଦନ କାନ୍ତି ନବଘନ

ଦିଶିଗଲେ ଜକ ଜକ ଲୋ ସଖି

ଦଣ୍ଡେ ପରିଯନ୍ତେ ଗଣ୍ଡେ

କରଦେଇ ରହିଲି ବଦନ ପୋତି

 

ନବ ଦୁର୍ବାଙ୍କୁର ମହୀରେ ଅଙ୍କୁର

ସେ ପୁଣି ସେହି ଆକୃତି ଲୋ ସଖି

ଭାଜିଲା ଗୁମାନ ମାନ

ମାନସରୁ ନୟନ ବୁଜିଲି ଯହୁଁ

 

ଗୌର ଦ୍ୱିଜ କହେ ହୃଦୟ ମଧ୍ୟରେ

ଉଦୟ ହୋଇଲେ ତହୁଁ ଲୋ ସଖି

ଆଖି ପତାପରେ ରଖିଥିଲି

ଯାକୁ ଚିରଦିନ ଧରି ଏତେ

 

ଆଜି କାଗଜରେ ତାର ଲେଖାଟିଏ

ମାତର ପାଇଲେ ସତେ ।

ଭାଳଇ ମନରେ ପାଇଲି

ସତରେ କି ଅମୂଲ୍ୟ ନିଧି ମୁହିଁ

 

ଆସ ଆସ ଆସ ଆହେ ସ୍ୱାଗତ

ଯେ ଆସ ଆସ ମୋର ଭାଇ ।

ନୟନୁ ଯାଇନ ପାସୋର

ମୋହନ ଅନ୍ତରୁ ଯିବ କିପରି

 

ଅଙ୍ଗୁଳିଟି କାର ଦେଖିଲେ ପ୍ରକାର

ମନେ ହୁଏ ଅଛି ଧରି ।

ଜପାମାଳି ସବୁ  ଭୁଲିଗଲି ବାବୁ

ଖାଲି ମନେ ଗୁଣେ ମନ

 

ସେ ତୁମ୍ଭର ନାମ ଆହେସଖା

ସତେ ସତେ ସତେ ତୁମ୍ଭନାମ

ଆଉକି ଜୀବନେ କାହାକୁ ମୁଁ କ୍ଷଣେ

କରିବି ହେ ଆପଣାର

 

ତୁମେ ମୋର ସବୁ ତୁମେ ମୋର

ସବୁ ହୃଦୟ ନିଧିର ସାର ।

କହିଛିତି କଥା ନ ରଖି ଗୋପନ

ତୁମେ ମୋର ସବୁ ଧନ

 

ଆଉ ଯେତେ ଦିନ ବୁଲିବି

ଭୁବନ ଭାଳିବ ତୁମ୍ଭଙ୍କୁ ମନ ।

ବିଜନ ବିପନେ ସଜନ ଗହନେ

ସବୁବେଳେ ତୁମେ ଅଛ

 

ଅନ୍ତର ପୂରାଇ ତୁମକୁ ଛାଡ଼ିଣ

ରହିବା ମୋହର ମିଛ ।

ଛାଡ଼ି ତୋତେ ମୁହିଁ ରହିବିରେ କାହିଁ

ଭାବି ତୁ କହତ ମୋତେ

 

ଯେଣେ ବୁଲିଗଲେ ମନେ ତୁ ପଡ଼ୁରେ

କାନ୍ଦେ ମୁଁ ଯିବୁ କି ପ୍ରତେ ।

ଆ ମୋର ଡଲି ଆ ମୋର ନାଲି

ଆସ ଆସ ଆଉ ସବୁ ଅଛ ଯେତେ

 

ମୁଁ ଜାଣିଛି ତୁମକୁ, ତୁମେ ମୋର ପ୍ରିୟ ସଙ୍ଗୀ

ତୁମ ବିନା ମୁଁ ରହି ନ ପାରେ ଦଣ୍ଡେ

ହୁଏଁ ଛଟପଟ କେତେ ।

ତୁମେ ପରା ମୋର ସରାଗ ସଖା

 

କୁକୁର ବିଲେଇ ସାଙ୍ଗୀ

ଆସ ମୋର ନେଉଳ ଆସ ମୋର ବଣି

ତୁମକୁ ପାଇ ମୁଁ ସକାଳେ

ଖେଳିବି ଦିନଯାକ ପୁଣି ।

 

ଶୀତ ଦିନେ ଲୁଗାପଟା ଘୋଡ଼ି

ଘରଟାରେ ପଡ଼ି

ଖେଳିବି ମଦନା ପ୍ରେମୀ ସାଥେ

ତୁମକୁ ଘେନି ଶୋଇ ରାତେ ।

 

ଉନ୍ମୁକ୍ତ ଦେବ ମନ୍ଦିର

ଆସ ଭାଇ ହରିଜନ

ଉନ୍ମୁକ୍ତ ଆଜି ଦେବ ମନ୍ଦିର

ଆଜି ବଡ଼ ପୁଣ୍ୟ ଦିନ

 

ଜୟ ଜୟ ନାଦ ଘୋଷ ତାଙ୍କର

ଜଗତ୍ ପିତାଙ୍କର

ତ୍ରିବାଙ୍କୁର ରାଜାଙ୍କର ପୁଣି

କର ଜୟ ଜୟ କାର

 

ଆଜି ଉନ୍ମୁକ୍ତ ମନ୍ଦିର ଦ୍ୱାର

ଆଜି ଉନ୍ମୁକ୍ତ ସକଳ ମନ୍ଦିର

ଭକ୍ତ ଯେ ଯହିଁ ଅଛ ଆସ ଅନିବାର

ସୁନ୍ଦର ଆଜି ଆସ ହୋଇ ଆହୁରି ସୁନ୍ଦର

 

ନୀରାଜନା କରିବ ବିଭୁ ପୟର

ଧୂପ ଦୀପ ମଳୟାନିଳ

ଆଜି ଭାରତ ପ୍ରଭାବ କରିଛି ସୁନ୍ଦର

ଜୟ ଜୟ ଜୟ ତ୍ରିବାଙ୍କୁଡ଼ ।

 

ଯୁବକ ମଲେ ବଲେ ବୁଢ଼ୀ

ସର ଦୋଳାରେ ପଶିଛି ବାଡ଼ି

ସଞ୍ଜ ବେଳକୁ କବାଟ କିଳା

ଡରରେ ମଲା ନନ୍ଦିଆ ଭୋଳା

 

ଓଡ଼ିଆ ପୁଅ ହାତ ଗୋଡ଼ ଥରେ

ସେ କବାଟ କିଳି ଘରେ ମରେ ।

କେତେ ଥର କେତେ ଥର

ସେ ଆଉ ମୁଁ ହୋଇଛି ବିବାଦ

 

ହୋଇଛୁଁ ହର ବର ।

ମୁହଁ ଦେଖା ଦେଖି ନାହିଁ

କଥା କହିବାର ନାହିଁ

ଆସିଗଲା ପଥେ ଶିଶୁଟି ସାଥେ

 

ଛଡ଼ା ଛଡ଼ି ହୋଇ

ହେଲୁଁ ଚୁମ୍ବନେ ବାଇ ।

ଦୁଃଖ ଅଭିମାନ ଅପମାନ ସବୁ ଗଲା ଉଭାଇ ।

କେତେ ଥର କେତେ ଥର, କ୍ରନ୍ଦନେ ଭସାଇଛୁଁ ସଂସାର

 

ଶିଶୁ ଆସିଲା ପଥେ

ଟେକି ନେଲି ମୁହିଁ, ଟେକି ନେଲା ସେହି

ମିଳିଗଲୁଁ ମନୋରଥେ ।

ଅପୂର୍ବ ଶିଶୁର ରୀତି, ବାନ୍ଧଇ ସେ ପ୍ରୀତିରେ ଛାତିକୁ ଛାତି ।

 

କରତି ହୋଇଥାଏ ଯେଉଁ ଛାତି

ଯୋଡ଼ି ଦିଏ ମୁହୂର୍ତ୍ତେ ଏ କି ରୀତି ।

ଆଜି ବିଧାତା ଶୟନେ, ମନୋ ଭୁବନେ,

ମରମ ମର୍ମର ପୁରେ ଡାକେ କାହାକୁ ମୋର ହିୟା

 

ହାୟ ହାୟ କରି, ଏଜୀବନ ଭରି ଦେଲି ସିନା ସାରି

ମୋହରିପାଇଁ ଖାଲି ଝୁରୁଛି ପପିୟା ।

କେତେ ଯୁଗରୁ, ଆସିଲିଣି ଏ ମରତଭୂମି ପରେ,

ସୁଖ, ସୁଆଗ, ସ୍ନେହ ପରାଗ କେତେ ହେଲା ମୋ ଦେହେ ବୋଳା

 

ଆଜି ଜଗତଯାକ ଖାଲି ଚାହେଁ ମୁହିଁ, ବ୍ୟକତ ଯେହ୍ନେ କିଛି ନାହିଁ,

ଶୟନେ ସ୍ୱପନେ ସବୁ ଯେହ୍ନେ ଘେରା ।

ମୋହର ସାଥୀ, ପ୍ରିୟା ପୀରତି, ଏତେ ଥିଲେ ଏତେ,

ଆଜିକି ନାହାନ୍ତି ଜଗତେ, କେହି କେହି ମୋର ସତେ

 

କାହିଁକି ଲାଗଇ ନିରର୍ଥକ ଜୀବନ ବିହଗ ଅନର୍ଥକ

ସାଙ୍ଗ କରି ଖେଳା ଏଥର ନୟନ ବୁଜିବି ଆଜ ରାତେ ।

ଯାହାକୁ ଚାହିଁଲି, ସେହି ଆସି ଚାହିଁ ଦେଇ ଚାଲି ଗଲା

ନାହିଁ ଆଉ ମଧୁ, ନାହିଁ ଆଉ ଅମୃତ, ଏ ଜୀବନ ଶୁଷ୍କ ହେଲା

 

ଏଥର ଶ୍ମଶାନ ପରେ, ବସି ଦିନ ରାତିରେ କାହାକୁ ଡାକିବି କହ,

କାହାର ହାତଧରିବି ମୁହିଁ ସେକି ମୋତେ ଦଗା ଦେଲା ।

ବୁଢ଼ୀଟିଏ ସେହି

ତାର ଆଖିକୁ ଦିଶଇ ନାହିଁ

 

ଯାଉଛି ସେହି ଗୋବର ଗୋଟେଇ ।

ପୁଅଟିଏ ଥିଲା ତାର

ଯାଇଛି କରମ ଭୂମି ସେ ପାର

ଝିଅଟଏ ତାର

 

ପିଲା କବିଲା ଘେନି ଦୁଃଖରେ କଟାଏ ଅନ୍ୟ ଘର ।

ପୁତୁରାଟି ତାର

ଭାରିଯା ପିଲା କବିଲା ଧରି

ବଡ଼ ଦୁଃଖରେ ଦିନ ନିଏ ହରି ।

 

ବୁଢ଼ୀଟିଏ କେବେ

ତାଠାରୁ ପାଏ ମନ୍ଦେ ମନ୍ଦେ

କେବେ ଫୁଟାଏ ଭାତ ମୁଠାଏ ନିଜେ

କିଏ ବୁଝୁଛି କା କଥା ଜୀବନ ଏସନ ଯାଏ ।

 

ବୁଢ଼ୀଟି ମୋର ସାନ ମାଆଟି ପରି

ଥିଲା ମୋର ଝୁଅ ଯେପରି

ତାହାର ମୁଖ କେଡ଼େ ସୁଖ

ସେ ଥିଲା ମୋ ନୟନ ମନ ପୂରି ।

 

ଥିଲା ନାହିଁ ତାର ପଢ଼ା ପଢ଼ି ବେଶୀ

ଥିଲା ନାହିଁ ତାକୁ ଅହଂକାର ପେଶି ।

ଥିଲା ସେ ସ୍ୱଭାବ ସୁଲଭ ସୁନ୍ଦର ଝିଅ

ରୂପରେ ଶ୍ୟାମଳ ଠାଣିରେ ଯେହ୍ନେ ଶଶୀ ।

 

ଅଳପ ବୟସ ନାଗରୀ ନ ଥିଲା ସେହି

ଛଇଳୀ ପୁଣ ଜାଣି ନଥିଲା ମୋହୁଥିଲା ମହୀ ।

ଗୃହିଣୀ ପରି ଘର ବୋହୂଟି ସାନ ବୋହୂଟି

ବୁଢ଼ୀ ମୋର ଥିଲା ସକଳର ଆଦରର ଖଣିଟି ।

 

କିଏ ଜାଣିଥିଲା ବୁଢ଼ୀ ଚାଲିଯିବ ଛାଡ଼ି ଆମକୁ ।

ଏଡ଼େ ଚଞ୍ଚଳ ହୋଇ ତାର ପିଲା ଦିଅଟିକୁ ।

ଛାଡ଼ି ସ୍ୱାମୀକୁ ତାର ଏକାକୀ

ଛାଡ଼ି ସଂସାରର ସକଳ ଦୁଃଖୀ ରଙ୍କୀ ।

 

ମୁଁ ଥିଲି ବୁଢ଼ୀ ସ୍ନେହରେ ମଜ୍ଜି

ସେ ଥିଲା ମୋର ଝିଅ ଟାଣିଥିଲି ବୁକୁପାଶେ

କି ପୁଣ୍ୟ ଅର୍ଜି ।

ଆଜି ହତଭାଗା ମୁହିଁ ପଶିଲା ମୋ କର୍ଣ୍ଣେ କୁଳିଶ

 

ବୁଢ଼ୀ ନାହିଁ ଆଉ, ଚାଲିଗଲା ସେ ବଡ଼ ଶୀଘ୍ର ସେ ଆର ପାଶ ।

ହେଲା ବୟସ ବାଇଶି

ହସୁଥିଲା ଯେହ୍ନେ ପୂର୍ଣ୍ଣ ଶଶୀ ।

ଆଉ ପାଇବି ନାହିଁ ଛୁଇଁ ତାକୁ ଏ ଆଖିରେ

 

ଝୁରିବି ମରି ବାକୀ ଦିନ ଯେତେଟା ଅଛି ମୋ ଭାଗ୍ୟରେ ।

ଛୁଆ ଦୁଇଟି ତାର ଅଛନ୍ତି ଏଥି

କେବେ ହରଷିବେ କାହାକୁ ମାଆଙ୍କ ପରି ଅତି ।

ପିତାଟି ଏବେ ପତ୍ନୀ ହରାଇ

 

ପିଲାଙ୍କ ସୁଖ ଦୁଃଖରେ ଆପଣାକୁ ଭରାଇ

କଟିବେ ଜୀବନ ଅତି ପୁଣ୍ୟବାନ

ଆଉ ବିବାହ କରିବେ ନାହିଁ ଏହିପଣ ।

ଭାବିଲା ବେଳକୁ ମୋତେ ମୁଁ ଧିକ୍କାରେ

 

କେଡ଼େ ବାତୁଳ ମୁହଁ ଭାଇ ରେ ।

ପାଗଳ ପରି ବୁଲଇ ମୁହଁ ସାରା ଦିନ ଭାଇ

ମନେ ଭାଳୁ ଥାଏଁ କାହାକୁ ପାଇ

ଦିନ ଦିନ ମୋର ନେବି ଆନନ୍ଦେ ବାହି

 

ପ୍ରେମରେ ବାହି ।

ମାଆଟି ମୋର, ବୁଢ଼ୀଟି ମୋର, ଝୁଅଟି ମୋର

ଆସିବୁ ଓହ୍ଲାଇ ସ୍ୱରଗ ପୁର ।

ପୁଲକିବୁ ମନ ହରଷିବୁ ତନୁ

 

ଓହ୍ଲାଇ ତୁହି ଅନ୍ତରେ ମୋର ସପନ ସପନୁ

ବୁଢ଼ୀଟି ମୋର କୀର୍ତ୍ତିଦା ଥିଲା ନାମ ତୋର

ସେହି କୀର୍ତ୍ତିଦା ତୁହି ଚିରକାଳ ରହି

ହରଷିବୁ ସକଳ ମନ

 

ଜାଣିଥିଲେ ତୋତେ ଯେଉଁ ଯେଉଁ ଜନ ।

ଜୀବନ ତୋର ଦୁଃଖରେ ଯାଇଛି

ସଂସାର ନିୟମ କିଛି ନ ଯାଏ ଜଣା ।

ବୁଢ଼ୀଟି ମୋର ସହିଛୁ ଯାହା

 

ପୁଷ୍ପ ଗନ୍ଧ ହୋଇ ଝସୁ ସେ ବ୍ୟଥା ସକଳ ଅନ୍ତର ।

ଗୋପନ ପଥେ ଯାହାର ସାଥେ

ଖେଳୁଥିଲି ରସୁଥିଲି

ଏତେ ଦିନ ଜୀବନ ପଥେ

 

ସେହି ଆଜି ହେଲ ମୋହର

ସକଳ ବନ୍ଧନ ମୋର ଫିଟିଲା

ସକଳ ଅହଂକାର ମୋର ତୁଟିଲା

ରାଜା ରାଜେଶ୍ୱର ଥିଲା ମୋର ବନ୍ଧନ

 

ଏବେ ଆନନ୍ଦେ ନିଶ୍ଚିନ୍ତେ କରିବି

କୋକିଳ ସାଥେ କୂଜନ ।

ଜୀବନ ପଥେ  ତରୁଣୀ ସାଥେ

ଚାଲିଯିବି ବାହି  ଅନନ୍ତ ପଥେ

 

ଯେ ଦିଗେ ଇଚ୍ଛା ଯେଉଁ ଦିନ ଇଚ୍ଛା

କେହି କହିବେ ନାହିଁ ନ ହେବ ଏତେ ।

ଆଜି ଫିଟିଛି ବନ୍ଧନ ମୋର

କାଳାତୁଆଟିର ଫିଟିଛି ପିଞ୍ଜର ଦୁଆର

 

ଆଜି ଉଡ଼ିଛି ମନ ବାନ୍ଧବି ଘର

ପ୍ରେମେ ଭରିବାର

ଯେଉଁ ପଥେ ଯହିଁ ମିଳିବ

ଯାହା ସୁଖେ ବାଞ୍ଛିବାର

 

ରାଜ ରାଜେଶ୍ୱର ବନ୍ଧନ ମୋର ତୁଟିଛି ଆଜି

ଆଜି ପ୍ରେମ ପଥେ ଅବଗାହି ମୁହିଁ

ଯୌବନ ପରେ କସିବି

ଯୌବନ ଯାତ୍ରା ତାହାକୁ ଭଜି ।

 

ସେହି ମୋହର ଅନ୍ତର ଦ୍ୱାର

ସେହି ମୋହର ସ୍ୱର୍ଗ ଦୁଆର

ତାହାର ହାତ ମୋହରି ହାତେ ରଖି

ଚାଲିବି ମୁହଁ ଭୁବନ ପଥେ

 

ସକଳେ ସୁଖେ ନିରେଖି

ଆଜି ରାଜ ସିଂହାସନ

ଯାଇଚି ଚାଲି

ତୁଟିଛି ମୋର ବନ୍ଧନ

 

କୋକିଳ ଆଜି ଗାଇବ ବନ ପଥେ

ନିର୍ମଳ ରୁତେ ଅତି ନିରତେ

ତାହାକୁ ପାଇ ଯାହାକୁ ପାଇ

ଶୋଇବି ପ୍ରେମେ ଗୁପତେ

 

କେହି ନ ରଖିବେ ସନ୍ଧାନ

କେହି ନୋହିବେ ଈର୍ଷ୍ୟାବାନ ।

ଆଜି ଜଳପଥେ ବନପଥେ

ଯହିଁ ରହିବି ଯହିଁ ବିରଚିବ ଆବିରତେ ।

 

ସଙ୍ଗିନୀ ମୋର ଖାୟାମ ସାକୀପରି

ରହିଥିବ ପାଶେ ପାଶେ ପ୍ରେମ ପିଆସେ ଭରି ।

ଯାଉ ମୋର ସବୁ

ମୁଁ ଚାହେଁ ସଂସାରେ ରହିବି

 

ସକଳ ସାଥେ ପ୍ରେମେ ପୂରିବି ।

ଏହି ଇଚ୍ଛା ମୋର ଏତେ ଦିନ ପର

ହେଲା ମୁକ୍ତ ଜୀବନ ମୋର, ଆଜି ମୋହିବ ।

ଆଗରେ ରହିଛି ଭୋକର ମଣିଷ

 

ମାଟିର ମଣିଷ

ତୃଷା ତାର ମେଣ୍ଟିବାର ପାଇଁ

କରଇ ସେ କେତେ ଆଶ

ପଛରେ ରହିଛି ଆତ୍ମାର ମଣି

 

କହୁଛି କେତେବେଳେ

କେତେବେଳେ ରହୁଛି ନିର୍ବେଦ ନିର୍ବିଶେଷ

ଦୁଇ ମଣିଷ ଭିତରେ ଲାଗିଛି ଲୀଳା

ମାଟିର ମଣିଷ ପୂରାଇ ଆଶ ଉଠଇ ଅବଲୀଳା

 

କେବେ ଅବା ପଡ଼ି ରହେ ସେ ମାଟି କାମୁଡ଼ି

ଉଠିବାକୁ ତାକୁ ଲାଗଇ ଅନେକ ବରଷ କରଇ ଅନେକ ରଡ଼ି

ଯାହା ହେଉ ପଛେ ଆପଣା ହାତେ

ଆପଣା ଡୋରି ରଖିଛୁ ଆମ୍ଭେ

 

ଦିନେ ହେଲେ ଦେରୀ ହେଲେ ଯେତେ

ଉଠିବୁଁ ଉଜ୍ଜ୍ୱଳି ଯେହ୍ନେ ସକଳ ସୂର୍ଯ୍ୟ ପୂର୍ଣ୍ଣ ଦମ୍ଭେ ।

ସେହି ଦିନ ପାଇଁ କରିଣ ପ୍ରତୀକ୍ଷା

ମାଟିର ମଣିଷ ଚାଲରେ ଭାଇ

 

ମାଟିର ଭୋକ ଶେଷ କରି

ଉଠ ଆହେ ଅମର ପୁରେ ଯାଇଁ ।

ତଥାପି ମାଟିର ମଣିଷ ମାଟିରେ ଆଶ

ଦୁଃଖ ସୁଖେ ହୁଏ ସେ ଜଡ଼ି ।

 

ମାଟିର ଭିତରେ ରସର ସାର

ପାଇଣ ସେ ଅମୃତେ ଯାଏ ବୁଡ଼ି ।

କହିଥିଲି ମୋତେ ଆସିବ ସଞ୍ଜ ସାଥେ

ବକୁଳ ମୂଳ ତଳେ

 

ଅନ୍ଧାର ବେଳେ ଛୁଇଁବ ମୋତେ

ସତେ ସତେ ସତେ ।

ଆସିଲା ସଞ୍ଜ ଗୋଧୁଳି ଗଲା ବୁଜି

ସକଳେ ଗଲେ ଚାଲି ମୋହର ସକଳ ଆଶା ଗଲା ଭାଜି ।

 

କହିଥିଲ ମୋତେ କୋକିଳ କୁଉ ସାଥେ

କରିଥିବ ମୋତେ ଅପେକ୍ଷା

ଚାହିଁଲି ମୁହିଁ ଦୀର୍ଘ ଦିବସ ମାସ

କରି ସେହି ପ୍ରତୀକ୍ଷା ।

 

ଆସିଲା କୋକିଳ ଧ୍ୱନିଲା ଦିଗନ୍ତ

ନୋହିଲା ତୁମର ଦେଖା

ଆନ ମନେ ମୁହିଁ ପାଗଳ ହୋଇ, ବୁଲେ ସାରା ଦିଶି

କାହିଁ ପାଇବି ତୁମରି ଦେଖା ।

 

କହିଥିଲ ମୋତେ, ସରିତ ସାଥେ, ରଜନୀ ରାତେ

ଚନ୍ଦ୍ରମା ଯେବେ ହସିବ

ମଧୁରେ ମଧୁରେ ମଧୁମାଳତୀ ହାତରେ ଘେନି

ମୋହର ଗଳାରେ ପିନ୍ଧାଇବ ।

 

ସବୁତ ଆସିଲେ ସବୁତ ଗଲେ

ତୁମେ ଗଲ କାହିଁ

ମୋହର ଜୀବନ ବୃଥା ମାନ

ରହିଛି ତୁମକୁ ଶୂନ୍ୟରେ ଚାହିଁ ।

 

ସଖି ! କାହାକୁ ନିରେଖି ଜୀବନ ନେବିକହ ।

ତୋହରି ପାଇଁ ଜୀବନ ମୋର ଅଥିର ହୁଅଇ

ଉପାୟ ତୁହି ମୋତେ କହ ।

 

ରଜନୀ ରାଣୀ ଭାରା ପରାଣେ ଗୀତ ଯେବେ କୁହାଟେ ।

ସେହି ସ୍ୱନେ ତୋର ସନ୍ଧାନ ମିଳେ ସିନା ମୋର ହୃଦୟ ହାଟେ

ଜୀବନ ପଥେ ରଜନୀ ରାତେ ସାରା ନିଶୀଥେ

ସକଳେ କରେ ଯେବେ ଖାଁ ଖାଁ

 

ତୋହରି ପାଇଁ ଆଖି ନପଡ଼େ ଭାବୁ ଥାଏ ବସି

ଡାକୁଥାଏ ଖାଲି ଆ’ ଆ’ ।

କେହି ନାହିଁ ଯେବେ କେଉଁ ଆଡ଼େ ରଜନୀ ରାଣୀ ଡାକ ଶୁଭେ

ସେହି ଡାକରେ ଝିଲ୍ଲୀଝଙ୍କାରେ ବସିଥାଏ ମୁହିଁ ଦମ୍ଭେ ।

 

ମଲ୍ଲୀର ହାର କେତେ ଦୂରେ ଥିଲେ

ବଳୟ ହାତୁଁ ଆସେ ଗନ୍ଧ ବହି

ମାନସ ପୁଲକେ ବସି ରହିଥାଏଁ

ରଜନୀ ଯାଏ ପାହି ।

 

ହୃଦୟ ଭିତରେ ତୁମକୁ ପାଇ ମୁହିଁ ଭରେ

ଜୀବନ ମଧ୍ୟରେ ଆଉକିଛି ନାହିଁ ତୁମରି ଚିନ୍ତାରେ ମରେଁ ।

ନୂଆ କଥାକି ଅଛି କହ

ନୂଆ ପୀରତି କି ଦେବି କହ

 

ଜଗତ ଯାକ କେଉଁ କାଳରୁ ଗଢ଼ା

ନୂଆକି ଆଉକିଛି ବାକୀଅଛି

ତା ବୋଲି କି ସବୁ କିସ ସଢ଼ା ।

ନା, ନା, ସହି, ନାନା ନୁହେଁ ତାହା

 

ଯାହାକୁ ଯିଏ ସରସି ଥାଏ

ପ୍ରେମରେ ପୁଲକ ଉପୁଜୁଥାଏ

ନୂଆ ହୋଇ ଦେଖା ଦିଏ ଶରତେ ଶରତେ

କାଶତଣ୍ଡୀ ଫୁଲ

 

ନୂଆହୋଇ ଆସେ ଶତ ଶତ କେତେ ଗେଣ୍ଡୁଫୁଲ କହତ ।

ନୂଆ ନାହିଁ କିଛି ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରା

ସବୁତ ସେପରି ରହିଛନ୍ତି ଚିରକାଳ ।

କିନ୍ତୁ ସବୁ କି ତୁମକୁ ପୁରା ଦେଇଛନ୍ତି ଧରା

 

ତେବେ ସଖି ଆସ ଆସ ସଂସାର ଭିତରେ

କରିବା ଘର ନୂଆ ନୂଆପ୍ରୀତି ଆମରି ।

ଗୋଟାଇବା ପାଇଁ ଫୁଲରୁ ପକ୍ଷୀରୁ ଆକାଶରୁ ଯାଇଁ ।

ନୂଆ କିଛି ନାହିଁ ତ ସତ ଜଗତେ

 

ତୁ ପରା ନୂଆ ମୁଁ ପରା ନୂଆ

ପରତ ଯିବୁ ନାହିଁ କି ସତେ ।

ନିତି ନୂଆ ନୂଆ ପରଶ ଆସେ କେତେ ।

ସେତ ସବୁ ନୂଆ ନୂଆରେ ନୂଆ

 

ତାହାକୁ ଘେନି ସଂସାର ଭିତରେ କରିବା ଘର

ଆ ତୁ ମୋର ସଖୀଟି ଆ’ ଆ’ ଆ’ ।।

କାହିଁ ତୁମର ସେ ପୁରୁଣା ସୁଆଗ

କାହିଁ ତୁମର ସେ ପୁରୁଣା ମନ

 

ନିତି ଦେଖିବା ପାଇଁ ହେଉଥିଲ ଭାଇ

ହେଉଥିଲ ଏତେ ଛନ ଛନ

ଯାଇଛି ଚାଲି କୁଆଡ଼େ ମନ

ନିତି ଦେଖି ଦେଖି ପୁରୁଣା ଜନ

 

ଆଜି ନୂଆ ନୂଆ କେତେ ଆସନ୍ତି ସତେ

ତଥାପି କହୁଛି ପୁରୁଣା ପାଇଁ ମୋର ମନ ଯେତେ ।

ହୁଏ ଛନ ଛନ କହି ନ ପାରେଁ

ଖାଲି ଏତିକି ସେ ମୋର ଯଦି,ସେ ମୋର ଯଦି

 

ଆସି ବସନ୍ତା ହୃଦି

ସୁନ୍ଦର ମଧୁର ନୂତନ କରି ଜୀବନ ମମ

ହୁଅନ୍ତା ପୂର୍ଣ୍ଣ

ହୁଅନ୍ତା ପୁଣି ନୂଆରେ ଭରା

 

ସୁଖ ସୁଆଗେ ଭରା

ବସିଛି ମୁହିଁ, କାକ କୋକିଳ କେହି ନାହିଁ

ନୀରବତା ମୋତେ କହୁଛି ସତେ

କିଛି ଭୟ ନାହିଁ

 

ମୁଁ ଅଛି ମୁଁ ଅଛି ତୁମ ସାଥେ ।

ପୂରି ନାହିଁ ଆଶା ସତେ ପୂରି ନାହିଁ ଆଶା

ତୋତେ ଚାହିଁ ଚାହିଁ ମନ ପୂରିଛି ଅଛି ଭରସା ।

ଆଖିରେ ତୋହର ପ୍ରେମର ଶିଖା

 

ହୃଦୟ ତୋହର ସ୍ନେହର ହାର

ଗଗନେ ତାର ଛବି ସତେ ଦେଖା

ଅନନ୍ତେ ତାର ରେଖା ପଡ଼ିବାର

ପୂରି ନାହିଁ ସତେ ସବୁ ଆଶା

 

ପୂରି ନାହିଁ ପୂରି ନାହିଁ ସତେ

ତୋତେ ଚାହିଁ ଦେଲେ ଅନ୍ତର ପୂରେ ମନ ପୂରେ

ପାଏଁ ଦେଖା କହେଁ ସେ ଅଛିରେ ଅଛିରେ ।

ସେଥର କିଣିଲି ଜମି ବାର ବାଟୀ

 

ଜିଣିଥିଲି ଲଟେରିରେ କୋଟିଏ କୋଟି

କିଣି ନେଲି ସବୁ ଜମି

ତଡ଼ି ଦେଲି ଗରିବ ପରଜା

ରହିଲେ ବିଧାତାକୁ ନମି ।

 

ଆସିଲା ଦୁର୍ଭିକ୍ଷ କରାଳ ରାକ୍ଷସ

ଗୋଟି ଗୋଟି କରି ମଲେ

ଘୋଟିଲା ମେଘ ଆକାଶଯାକ ।

ରାତିସାରା ଘଡ଼ଘଡ଼ି ମାରିଲା ଏବକ ।।

 

ସବୁ ମଲେ ସବୁ ଗଲେ

ହାଡ଼ କୁଢ଼ ହେଲା କେତେ

ମୁଠିକ ପାଇଁ ଶରୀର ଦେଇ

ନାରୀଏ ରହିଲେ କିଛିଦିନ ସତେ ।

 

ମୋହରି ପାଇଁ ହୋଇଲା ଏତେ ପାପ

ମୋହରି ପାଇଁ ମୋହରି ପାଇଁ

କି ସୁଖ ମୋର ବାର ବାଟୀରେ

ଗଲେ ଚାଲି ସଭିଏଁ ରହିଲି ମୁଁ ଏକ

 

ଚାହିଁଲି ଏବେ ଖାଲି ଭକ ଭକ

ଧରମ ଅରଜି କରମ କରି

ସକଳ ସାଥେ ସୁଖ ଦୁଃଖରେ ରୁହ

ନୋହିଲେ ଭାଇ ସଂସାର ଭିତର

 

ମଡ଼କ ପଡ଼ିବ ତୁମେ କାହିଁ ରହିବ କୁହ

କିସୁଖ ତୁମର ହୋଇବ ମୋତେ କହ ।

ଦିନୁ ଦିନୁ ମୋତେ ନିଅ ତୁମ୍ଭେ ପାଶେ

ସକଳେ ଯେବେ ଛାଡ଼ିଯିବେ ନକରି ଆଶେ ।

 

ଧୀର ଧୀର କରି କଥା ସବୁ ଯେବେ ଯିବ ଫୁରି

ଥିରେ ଥିର କରି ନୟନ ମନ ମୋର ଥିର ହୋଇଯିବ ଭାରି

ସେହିଠି ତୁମେ ରହିବ ବିଭୁ ସେହିଠି ତୁମେ ରହିବ

କଣ୍ଟକ ଯେବେ ଦେହ ଯାକ ମୋର ଫୁଟିବ ।

 

ଛାଡ଼ି ସକଳେ ଯିବେ ପଳାଇ

ରହିବ ତୁମେ ନିଜେ ନିଜକୁ ଜଗାଇ

ରହିବି ମୁହିଁ ତୁମରି ସାଥେ

ଦିନ ରାତି ଚାହିଁ ଅବା ଶୋଇ ।

 

ପୂଜାର ଅଭିମାନ କର ନାହିଁ ଭାଇ

ପୂଜାର ଅଭିମାନ କର ନାହିଁ ।

ଦିନ ଦିନ କରି ଯାଉଛି ପୂରି

କିଏ ପଚାରୁଛି କାହାକୁ ଭାଇ ।

 

ଥିଲ ଯେବେ ଭାବ ଶିଶୁ ସୁନ୍ଦର

ଜାଣିତ ନ ଥିଲ ପାପ ହୁନ୍ଦର

ଥିଲ କେତେ ଧୂଳି ମାଟିରେ ଖେଳି

ଆଜି ପୋଷାକ ପିନ୍ଧି ବାବୁ ସାଜିଲେ

 

ଭିତରେ ହୋଇଛି ବାଲି ।

ଫୁଟିଥିଲା କେତେ କେତେ ସୁମନ

ହୃଦୟ କେଦାରେ ଦିଶୁଥିଲା ମୋହନ

ଆଜି ଫୁଲ ଫୁଟେ ନାହିଁ ତହିଁ

 

ଉପର ପୋଷାକେ ଉପର ପୂଜାରେ

ମନ ଏତେ କର କିପାଇଁ

ହତଭାଗ୍ୟ କେଡ଼େ ହତଭାଗ୍ୟ ଆହାରେ ତୁହି

ବସିଥିଲି ମୁହିଁ କିଛି ଭଲ ନ ଲାଗଇଁ

 

ଆକାଶ ପଥେ ଉଡ଼ିଗଲା ବିହଗ

କହୁନାହିଁ କଥା କହିଗଲା ଯେହ୍ନେ ଆଉ ରହ ଦିନ ଦୁଇ ।

ପରାଣ ମୋହର ପୂରିଗଲା ସେହି

ଶୂନ୍ୟତା ମୋର ରହିଲା ନାହିଁ ।

 

ଉଜ୍ଜ୍ୱଳ ଦିଶିଲା ହୃଦୟ କନ୍ଦର

ଦିଶିଲେ ଦେବତା ରହିଛନ୍ତି ସେ ପୁର

ତାଙ୍କରି ସାଥେ ମୋ ଜୀବନ ଗୁନ୍ଥା

ତାଙ୍କରି ସାଥେ ମୋ କାରବାର ।

 

ନଗ୍ନ ମୂର୍ତ୍ତି ମୋର ଦେଖି ଲାଗିଲା କି ଘୃଣା

କରିଲ କି ଅପବ୍ୟବହାର

ମଦାଳସୀ ତରୁଣୀ ନଗ୍ନ ମୂର୍ତ୍ତି ଘେନି

କର ତୁମେ ପୁଣି ଏତେ କାରବାର ।

 

କମ୍ପ୍ର କଣ୍ଠେ ବିଜୁଳୀ ଝଟକେ

କି ଦେଖାଏ ଆପଣାର ନଗ୍ନ ମୂରତି

ଆକାଶ ଅବନୀ ଚାହିଁ ରହିଥାନ୍ତି

ମୁଗ୍ଧ ଚକିତ ସତେତ ଅତି ।

 

ନଗ୍ନ ହୋଇ ଜନମ ହେଲ

ନଗ୍ନ ହୋଇ ଯିବ ଚାଲି ସଂସାର ପାରି

ମୃତ୍ୟୁ ଅନ୍ତେ ଜନ୍ମ ପୂର୍ବେ କାହିଁଥିଲ ଜଣା ନାହିଁ ।

ଜନ୍ମ ପରେ ମୃତ୍ୟୁ ସାଥେ ହୁଅ ଭାଇ ନଗ୍ନ ଉଦାର

 

ଭୟ କର କିପାଇଁ

ପରଦା ପରଦା ଖୋଲି ଯାଉ ସବୁ ଆବରଣ

ରହୁ କେବଳ ପ୍ରକୃତି ପରି ନଗ୍ନ ସବୁ ସ୍ୱଚ୍ଛ ମନ ।

ତରଙ୍ଗ ତରଙ୍ଗ ଖେଳି ଯାଉଛି ଯାଉଛି ଚାଲି

 

ଆସୁଛି ପୁଣି ଆହୁରି ଖେଳୁଛି ଯାଉଛି ପୁଣି ବାହାରି ।

ଫୁଲଟିଏ ଫୁଟି ପଡ଼ୁଛି ଝରି ଜନମୁଛି ଆନ

ମରଣ ପାଇଁକି ଭୟ କିପାଇଁ ସକଳ ପରମ ବିଧାନ

ତାରା ଗୋଟି ଗୋଟି ସଞ୍ଜରେ ଫୁଟି

 

ରାତି ସାଥେ ସାଥେ ଯାଉଛନ୍ତି ଛପି ।

ଉଠୁଛନ୍ତି ପୁଣି ନିତି ସଞ୍ଜରେ

କିଏ କହିବ ଏହା ମନ୍ଦରାତ୍ର ।

ଜ୍ଞାନ ବାପୀରେ ପିଇବା ପାଇଁ

 

ସାନଟିରୁ ବଡ଼ଟି ଯାଏଁ

ସକଳେ ଉଦ୍‌ଭୂତ ସକଳେ

ନିଚରୁ ଉଚ୍ଚକୁ ଯାଏ ।

ନିନ୍ଦରେ ମୋତେ ନିନ୍ଦିବ ଯେତେ

 

କାନ୍ଦିବି କାହିଁକି ରୁନ୍ଧିବି କାହିଁକି

ତୋହର ବାଟ ସତେ ।

ତୁହି ଯାହା କରିବାର କର

ମୋହର ଜୀବନ ଲଭୁ ସାର୍ଥକତା

 

ପାଇ ତୋହର ନିନ୍ଦା ବାଣ ଆବର ।

ପାଷାଣ କାଟି ପଥର ମୂରତି ଲବଣୀ ପରି ଦିଶେ

କାଟରେ ମୋତେ ଯେତେ କାଟିବ

ସୁନ୍ଦର ହେବି ତହୁଁ ଅଧିକୁଁ ଅଧିକ ମୁଁ ଯେ ।

 

ଗଛଟିଏ ବଢ଼ିଲେ ଫଳଟିଏ ଧରିଲେ

ବାଟୋଇ କେତେ ଫିଙ୍ଗନ୍ତି ଢେଲା ପଥର

ଖାଆନ୍ତି ସବୁ ଖାଅ ତେମନ୍ତେ ଅଛି

ଯାହା ଯେଉଁ ଦିଗେ ମୋହର ।

 

ଜନମ ମୋହର ସାର୍ଥକ ହେବ ସିନା ତହିଁରେ

ନୋହିଲେ ଜନମି ବଞ୍ଚି ରହ ଖାଲିଟାରେ ମରିଗଲେ

ବି ଫଳ କହ ଭାଇରେ ।

ଦିନମାନ ମୋର ଅନ୍ଧାର ଅନ୍ଧାର

 

ଆକାଶ ପବନ ସବୁ ଯେହ୍ନେ ଆଜି ନୁହେଁ ମୋର ।

ଲତିକା ଲତିକା କେତେ ଲତିକା

ଖେଳୁଛନ୍ତି କେତେ ତହିଁ ସୁନ୍ଦର ପକ୍ଷୀକା ।

ଦେଖି ଦେଖି ମୁହିଁ ମନ ହେଲା ନାହିଁ

 

ଅଇଲି ବାହାରି ବସିଲି ଭାଳି ମୋ ଘର କାହିଁ

ଜୀବନ ପଥେ ମରଣ ରାତେ

ତାରା ଗୋଟି ଗୋଟି ଲିଭିଯାଏ

ସତେ କି ମୋର ଆଲୋକ କରିବାର

 

କେହି ରହିବେ ନାହିଁ ଶେଷଯାଏ ।

ଅଛନ୍ତି ମୋତେ ହୁଏ ପ୍ରତେ ଅଛନ୍ତି ଜଗତସାଇଁ

ତାଙ୍କରି ଆଶ୍ରା ଧରିଣ ମୁହିଁ ବସିଥିବି ସୁଖେ

ଦୁଃଖେ ନିର୍ବେଦ ହୋଇ ।

 

କିଏ ଆସିଗଲେ ପରାଣ ପ୍ରିୟ ମୋର

ଚାରି ଦିଗ ଚାରି ଭୁବନ ଆଲୋକିତ ହେଲା ଅତି ସତ୍ୱର ।

ଦିଶିଗଲା ସବୁ ଆଲୋକ-ସ୍ନାତ ସୁନ୍ଦର ପୁଣ୍ୟ ପୂତ ।

କାହାର ଆଶୀର୍ବାଦ ସତେ ଭୁବନକୁ ଏତେ କରିଛି ଆଲୋକିତ ।

 

ମହତ ଲୋକ କିଏସେ ଆଜି ଭୁବନକୁ ଅଇଲେ ଓହ୍ଲାଇ

ଦିଗ ଦିଗନ୍ତ ସକଳ ପଥ ସୁନ୍ଦର ଆଲୋକିତ କହତ ଭାଇ ।

ସାଧୁଜନ କେହି ଓହ୍ଲାଇଛି ଭାଇ ଧରା ଭୂମିପର

ଚିତ୍ତ ଆମ୍ଭର ତେଣୁ ପରଶ ପାଏ ତାହାର ।

 

ଏହି ତୋର ବିଶଦ ବ୍ୟାଖ୍ୟା

କବି ନାମେ ହୁଏ ତୋର ଆଖ୍ୟା

ପରର ଧନ ଏକତ୍ର କରି କରୁ ଥାଉ ରାଜପଣ

ଛି ଛି ସେ କେତେ ଦିନ ।

 

ଆଜି ଛାଡ଼ି ସେ ଭଣ୍ଡ ବେଶ

ଯାହା ଅଛି ତାହା ଘେନି ଆସ ।

ଭିକାରୀର ମୁଠିକ ପାଇଁ ମୋହର ମନ ନାହିଁ

ରାଜ ରାଜେଶ୍ୱର ଧନ ଚୋରୀ କରିବାକୁ ଯାଇଁ

 

ଆଜି ହରାଇଛି ଆପଣାର ସର୍ବସ୍ୱ

ନାହିଁ ନାହିଁ କିଛି ମୋର ନିଜସ୍ୱ

ହେ କବି ହେ ଅଭାଗା ଜନ

କାହିଁକି ଚୋରୀ କରୁ ତୁ ଦିନମାନ ।

 

ଉତ୍କଳ ଗଗନେ ଆଜି ଚୋରମାନ

ପଡ଼ିଲେଣି ଧରା ରାଜ ରାଜଡ଼ା କାରଖାନାମାନ ।

ଆଜି ଛାଡ଼ି ସେ ଭଣ୍ଡ ବେଶ

ପିନ୍ଧି ଆପଣା ଜୀର୍ଣ୍ଣ କନ୍ଥା ଜୀର୍ଣ୍ଣ ଚୀରବାସ ।

 

ନାହିଁ ତହୁଁ ପାପ ନାହିଁ ତହିଁ ମାପ

ଆପଣାର ଯାହା ଅଗାଧ ତାହା ସୁନ୍ଦର ସ୍ନିଗ୍ଧ

ମଳିନ ହେଲେହେଁ ବାପ ।

ନ କର ନକର ଚୋରୀ

 

ଆପଣାର ଭାଷାରେ ଆପଣାର ଭାବ

କର ହେ ବ୍ୟକ୍ତ ଦିଶିବ ସୁନ୍ଦର ଭାରି ।

କୁଆ କୋଇଲି ଚକୁଆ ଚକୋଇ ।

ମାଟିର ନୋହି ଜୀବନ୍ତ ହେଲେ

 

ଦିଶନ୍ତି ସକଳେ ଅମୃତ ପରି ମଧୁର ଭାଇ ।

କରିବି ମୁଁ ସାଗର ସବୁ ମୋହର

ଜଗତ ଯାକ ଉପାଡ଼ି ଦେଇ ଫିଙ୍ଗିବି ଦୂର

କରିବି ସବୁ ସାଗର

 

ବନାନୀ ଯାକ ଜାଳି ପୋଡ଼ି ଦେବି କରିବି ଛାର ଖାର ।

ପୋଡ଼ି ଜଳି ଯିବେ ହିଂସ୍ର ଜନ୍ତୁ ଅଛନ୍ତି ଯେତେ ବ୍ୟାଘ୍ର

ଜୀବନ ଯାକ ହୋଇ ଦହଗଞ୍ଜ

ଆଜି ଦେବି ସବୁ ଏକା ନିଶ୍ୱାସେ ଜାଳି

 

ମୋହନ ମୋହର ସୁଦୂର ଦୂର

ସାଗର ପାର ଗଗନ ପାର କେଉଁ ଦୁରାଚାରୀ

ମହାକ୍ରୂର କାମନା ମୋର

ଦଶ ଦିଗ କରିବି ଅନ୍ଧକାର

 

ଉଲ୍କା ଉଡ଼ାଇବି ଝଞ୍ଜା ବୁହାଇବି

ସଂସାର କରିବି ନାରଖାର ।

ଅମୀୟ ଅମୃତ ସବୁ କରି ଦେବି ବିଷ

କେହି ମୋ ପାଶେ ଆଉ ରକ୍ଷା ନ ପାଇବେ

 

ସକଳେ ଲଭିବେ ଭୀଷଣ ତ୍ରାସ ।

ଜୟ ମା କାଳୀ ଜୟ ମା ଚଣ୍ଡୀ ହୁଂକାର ଉଠିବ

ଦୀପ ଧୂପ ଉଠିବ କୁହୁଳି

ସଂସାର ସାରା ଗନ୍ଧେ ମୋହର କରିବି ଭରପୂର

 

ଦମକେ ହଠାତ୍ ଉଠିବ ଜଳି ।

ସୁନ୍ଦର କରିବି ଧରା ଭୁବନ

ଧରିବି ଜାଳିବି ଯେତେ ପାପିଷ୍ଠ ହନୁମାନ

ଜୀବନଟା ସାରା କଲେ କଲ ବଲ

 

ନୁହଁନ୍ତି ସେ ମନୁଷ୍ୟ ହିଂସ୍ରଜନ୍ତୁ ସାର ।

ତାଙ୍କୁ ଖାଲି ମାର ମାର

ନୁହଁନ୍ତି ସେ ମନୁଷ୍ୟ ପଶୁ ଅସାର ।

ଦ୍ରୁମ୍ ଦ୍ରୁମି୍ ଦ୍ରୁମ୍

 

ଧିନ୍ ଧିନ୍ ଧିନ୍

ତାଥେଇ ତାଥେଇ ଥେଇ

ଶଂ ଶଂ ଶଂ

ଜଗତ ଯାକ ଝନ୍

 

ଆସଇ ଶେଷ ପାଖେଇ ।

ଆସ ସତ୍ୟବନ୍ତ ସୁନ୍ଦର ତୁମେ ହୁଅ ଏକାଠି

ପାପିଷ୍ଠ ଅଧମ ନରକବାସୀ କୃମି କୀଟ ଯେତୋଟି

ସବୁ ହେବେ ନାଶ

 

ତୁମେ ନ ରହ ତାଙ୍କ ପାଶ ।

କେଉଁ ମୃଗ ଶିଶୁ କେଉଁ ଯୁଗେ

ଜନମି ଭାସି ଆସିଲା ଭରତ ଭାଗ୍ୟେ

ଚାହିଁଥିଲା ଆଖି କରିଥିଲା ଛଳ ଛଳ

 

ଦେଖି ତାହା ଭରତର ହେଲା ପ୍ରାଣ ଉଜ୍ଜ୍ୱଳ ।

ଘେନିଲା ସେ ପାଶକୁ ଟାଣି ତାହାରେ

କହିଲା ବତ୍ସ ଆଜିଠୁଁ ରହ ମୋଠାରେ

ଦିନ ଦିନ କରି ସ୍ନେହରେ ଭରି

 

ଚାଟିଲା ସେ ଭରତ ଶରୀର

ଚାହିଁଲା ସେ ଶିଶୁ ସେ ଚାହିଁଲା ମାତା ପିତା ଯେହ୍ନେ ଆବର ।

ଏହିପରି ଦିନ ଗଲା ମୃଗ ଶିଶୁ ଡ଼େଇଁଲା

ଖେଳିଲା ବଢ଼ିଲା

 

ଘର ଛାଡ଼ି ସେ ଘାରି ହୋଇ ଘର ବୁଲିଲା

ଦାଣ୍ଡରେ ପଦାକୁ ବାହାରିଲା

ହେଉଁ ହେଉଁ ଏପରି ଗଲା ସେ ଜଙ୍ଗଲ ବୁଲି

ଫେରିଣ ଆସଇ ନିତି

 

ଯାଏ ସେ ଭରତ ପାଶେ କେତେ ସୁଆଗେ ଭରି ।

ଭରତ ତେଣୁ ଚାହିଁ ରହିଥାନ୍ତି

କେତେବେଳେ ଆସିବ ମୃଗ ଶିଶୁ

ଘରକୁ ଫେରି ଅରଣ୍ୟୁ ବାହାରି

 

ଆଖି ଆଗରେ ସେ ମୋର ସଦା ଦିଶୁ

ଏହିପରି ସ୍ନେହରେ ଦିନ ଦିନ

କେତେ ଦିନ ବର୍ଷ ଗଲା ଚାଲି ।

ଦିନେ ଗଲା ସେ ମୃଗ ଆଉ ବାହୁଡ଼ି ନଇଲା

 

ବସିଛନ୍ତି ଭରତ ଭାଳି ।

କେତେବେଳେ ଚାହିଁ ରହିଲେ ଅନାଇ

ସେ ଦିନ ଆଉ ନ ଦେଲା ଦେଖା

ଅରଣ୍ୟେ ପେଷିଲେ ଲୋକ ନିଜେ ଚଳିଲେ ତହିଁ ।

 

ନ ପାଇଲେ ଚିହ୍ନ ବର୍ଣ୍ଣ ରେଖା

ବାହୁଡ଼ି ଅଇଲେ ଏକାକୀ ହୋଇ ।

ପ୍ରାଣେ ପ୍ରାଣେ ବାଜିଲା ଆଘାତ

ଏତେ ଦିନ ଧରି ବଢ଼ାଇଥିଲି ମୁହିଁ

 

ସ୍ନେହ କରିଥଲି ଏତେ କରୁଥିଲା ଆତଯାତ ।

ଶେଷରେ ଏକାବେଳକେ ଗଲା ସେ କୁଆଡ଼େ

ଦର୍ଶନ ତାର ଏ ନୟନେ ଆଉ କେଭେଁ ନ ମିଳିବରେ ।

କେତେ ଭାବନା କେତେ ବେଦନା

 

ସବୁ ରହିଲା ହୃଦେ ଜମି

ଦିନ ଦିନ କରି ଲଭି ଗଲା ସିନା ସେ ଦୁଃଖ

ମାତ୍ର ବ୍ୟଥାଟା ରହିଛି ତହିଁ ।

ଟିକିଏ ବାଜି ଗଲେ ବ୍ୟଥା ବଡ଼ ବାଜଇ

 

ହାୟରେ ମୃଗ ଶିଶୁ ତୋହର ସେ ଚାହାଣୀ

ଆଉ ପାଇବି କି କାହିଁ ।

ସେହି ଯେ ମୋହର ହୃଦୟ ସର୍ବସ୍ୱ

ସେହି ଯେ ମୋହର ପରମ ଆୟୁଷ

 

ସେହି ତୁହି ଗଲୁ କାହିଁ ବେଦନା ରହିଲା ଭରି

ହାୟରେ ବିଧାତଃ ଏତେ କରି ପିତଃ

ଶେଷରେ ଦେଲ ମୋତେ ବୁଡ଼ାଇ ନ କରି ପାରି ।

ଏତିକି ଦୁଃଖ ନ ଦେଖିବି ତାର ମୁଖ

 

ସେ ରହିଥିବ ଚିର ମୋ ଆଗରେ ହୃଦୟ ମନ୍ଦିରେ ।

ରହିଥିବ ସମ୍ମୁଖେ ଚିର ସୁଖ ଦୁଃଖେ

କିଏ ନେଇ ତାକୁ କିପରି ଗଲା ସେ ଚାଲି କୁଆଡ଼େ ।

ଏହି ଦେଶର ମାଟିରେ ମୁହିଁ ମରିଯିବି ଯେବେ

 

ଏହି ଦେଶର ମାଟିରେ ମୁହିଁ ରହିବି ଗଛ ହୋଇ

ଏହି ଦେଶର ଜଳ ଏହି ଦେଶର ବାୟୁ

ଏହି ଦେଶର ଜନ ଏହି ଦେଶର ହେଉ

ଆତ୍ମଘାତୀ ବିଶ୍ୱାସଘାତୀ ଏ ଦେଶରେ ନ ରହୁ ।

 

ଏହି ଦେଶର ମାଟିରେ ମୋର ଦେହର ମାଟି ମିଶୁ

ଏହି ଦେଶର ଓଡ଼ିଶାର ଓଡ଼ିଆ ପୁଅ ସାଙ୍ଗେ ସେ ରସୁ ।

ଏହି ଦେଶର ଫଳ ଫୁଲ ମୋହର ଲାଗୁ ଭଲ ।

ଏହି ଦେଶର ଗିରି ବନାନୀ, ଦିଶୁ ମୋ ଆଖିରେ ଭୁବନ ମୋହିନୀ

 

ଏହି ଦେଶର ଏହି ଦେଶର ଓଡ଼ିଆ ପୁଅ ମୁହିଁ

ସାଗର ପାରି ଏକଲା ଭାଇ ବୋଇତ ନେବି ବାହି ।

ଏହି ଦେଶର ଶିଳ୍ପ ସାହିତ୍ୟ

କରିବି ମୁହିଁ ମୋର ଆୟତ୍ତ

 

ଜଗତେ ଯହିଁ ଯିବି ଦେଖାଇବି ତହିଁ

ଦେଖ ଏ ଦେଶର ଗାରିମା ଗରିମା ସତ ।

ଗୁରୁ ଗୋବିନ୍ଦ ଭଜ ଗୋବିନ୍ଦ

ନମେ ମୁଁ ସେହି ପଦାରବିନ୍ଦ

 

ସ୍ୱାର୍ଥ ଆପଣାର ପୂର୍ଣ୍ଣଭାବେ ଦେଇଥିଲେ ଯେହୁ ବଳି

ସେହି ମୋହର ପରମ ଗୁରୁ ଗୋବିନ୍ଦ ଝଳି ।

ରହିଛନ୍ତି ଆଜି ଦିଗନ୍ତ କାଳ କାଳ ଅନାଇ

କହୁଛନ୍ତି ହେ ସୁପ୍ତ ମାନବ ଆସ ଆସ ଭାଇ ।

 

ଚରିତ୍ର କର ସୁନ୍ଦର

ଆପଣାରେ ଦିଅ ବଳି

ସକଳ ପାଇଁ ଆପଣାରେ ତୁଚ୍ଛ, ଛାର

ନକର ନକର ଅହଂକାର ।

 

ଦିନ ପରେ ଦିନ ଯାଉଛି ଚାଲି ଯିବ ଚାଲି

କାଳପରେ କାଳ କେତେ ଆସିଛି ଯାଇଛି ଚାଲି ।

କବି ରଥୀ ଅହଂକାରୀ ତେଜସ୍ୱୀ ବୀର କେତେ

ଝଞ୍ଜା ବାତ୍ୟାପରି ସଂସାରଟା ସାରା ବୁଲିଛନ୍ତି ଯେତେ ।

 

ସେ ସବୁର ସନ୍ଧାନ ନାହିଁ

ରହିଛି ସନ୍ଧାନ ତାଙ୍କରି ପାଇଁ ।

ଯେଉଁମାନେ ଜୀବନେ ଦେଇଥିଲେ ଆପଣାକୁ ବଳି ।

ପରର ପାଇଁ ନ କରି ଅହଂକାର ଅନ୍ୟର ସ୍ୱାର୍ଥ ନ ଦଳି

 

ଯେଉଁମାନେ ଜୀବନେ ଦେଇଥିଲେ ଆପଣାକୁ ବଳି

ପରର ପାଇଁ ନ କରି ଅହଂକାର ଅନ୍ୟର ସ୍ୱାର୍ଥ ନ ଦଳି ।।

ଧନ୍ୟ ସେହି ଗୁରୁ ଗୋବିନ୍ଦ ତହିଁ ଅଟନ୍ତି ଜଣେ ଭାଇ

ଜାନୁଆରୀ ଊଣେଇଶେ ତାଙ୍କର ଆଶୀଷେ ଜୀବନ ଦେବି ଛାଇ ।

 

ଗରିବର ପାଇଁ, ଦଶର ପାଇଁ ଦେଶର ପାଇଁ

ଭାଇ ସେ ବଞ୍ଚିଥିଲେ, ମରିଥିଲେ,

ରହିଲେ ତେଣୁ ଅମର ହୋଇ ।

ଯୀଶୁଖ୍ରିୀଷ୍ଟ ଅଛନ୍ତି ଯହିଁ

 

ଶାନ୍ତି ମନ୍ତ୍ର ଆସଇ ପ୍ରଚାରିତ ହୋଇ ।

ଯେଉଁ ଘରେ ବାସ କରନ୍ତି ସେହି

ମଳୟ ସମ ଧୀର ସୁନ୍ଦର ଦିଶନ୍ତି ଭାଇ ।

ତାଙ୍କରି ନାମରେ ଜଗତସାଇଁ ସୁମରିବାରେ

 

ଆସ ଆସ କେ ଅଛ ତାପିତ ଦଗ୍ଧ ପରାଣ ଦୁଃଖୀ ମୋର

ସେ ଜାଣିବେ ସକଳ ଦୂରିତ,

ସକଳ ଦୂରିତ ସେ କରିବେ ଦୂର ।

ଯିଶୁଖ୍ରୀଷ୍ଟ ଧର୍ମ ଅବତାର ପୁଣ୍ୟ ଅବତାର

 

ମହାମହିମ କଣ୍ଟକ କିରୀଟଯୁତ ମହାଅବତାର ।

ତାଙ୍କରି ମୁଖକୁ ଚାହିଁ, ଶିଖିବା ସ୍ନେହ ଭାଇ

ତାଙ୍କରି ପଦାଙ୍କ କରି ଅନୁସରଣ

ଚାଲିଯିବା ସଂସାର ପଥେ ଦିନୁଦିନ ।

 

ସୁନ୍ଦର ସେ ମଧୁର ସେ, ଅମୃତ ଅମୀୟ ସେ

ତାଙ୍କରି ନାମ ସୁମରି, ତାଙ୍କରି କାର୍ଯ୍ୟ କରି

ଜଗତ ପଥେ ସେତୁ ବାନ୍ଧିବା ସ୍ୱର୍ଗ ସେ ।

 

ଦିନମଣି ମୋର            ଦିନ ଦିନ କରି

ଶୁଖି ଗଲା ରେ

ଭାବି ଭାବି ମୁହିଁ            କାହାକୁ ଅନାଇଁ

ଜୀବନ ନେବି ରେ ।

 

ଆସିଥିଲା ପଥେ            ମୋ ଜୀବନପଥେ

ଚାଲି ଗଲା କାହିଁ

ମୋହର କଥାରେ            ଚାଲୁଥିଲା ସେହି

ଆଜି ଗଲା କାହିଁ

 

କାହାକୁ କହିବି            ମୋର ହୃଦ ବ୍ୟଥା

କିଏ ଶୁଣିବ ଗୋ

ଆସ ଆସ ଆସ            ଦରଦୀ ହେ କେହି

ଜୀବନ ରଖ ଗୋ

 

ଯେତେ ଥର ମୁହିଁ            ସ୍ନେହ କରେ ଯାଇଁ

କହେ ସେତ କଥା

ଏଥର ଆଉତ            ନ ଦିଏ ଗୋ ଦେଖା

ଦେଲା ସେ ଯେ ବ୍ୟଥା ।।

 

କହିଥିଲା ଏତେ            ଆସିବଟି ସତେ

ରବିବାର ଦିନ

ବାଧାପଡ଼ୁ ଯେତେ            ସବୁ ଏଡ଼ି ସେତେ

ଆସିବା ନିରୂପଣ ।

 

ଚାହିଁ ଚାହିଁ ମୁହିଁ            ଦିନ ଗଲା ମୋର

ନଇଲା ଆଖର

ବିଶ୍ୱାସ ଏଥର            କେବେହେଁ ନ ଯିବି

କି ଫଳ ଚାହିଁବାର ।

 

ଆସିବ ସେ ଯେବେ        ଦିନେ ଦିନେ ଏବେ

ମୋ ନୟନପଥେ

ହେବ ଯଦି ସେହି            ରସ ସୁଆଗିଆ

ସେତିକି ମିଳିଛି ମୋତେ ।

 

ସେତିକିରେ ମୁହିଁ            ଧନ୍ୟ ହେବି ସହି

ଆଉ କିଛି କଥା

ନ ହେଉ ମୋ ଭାଗ୍ୟେ      ଧନ୍ୟ କହିବି ମୁହିଁ

ସେ ମୋର ପ୍ରିୟ ଯଥା ।

 

ଧରାଧାମେ କେହି ନାହିଁ ସବୁ ଶୂନୁଶାନ୍

ଆକାଶେ କେହି ନାହିଁ ଗଛରେ ନାହିଁ ଜାନ୍ ।

ସବୁ ରହିଛି ଚିତ୍ର ପୁତ୍ତଳିକା ପରି

ଏ କିପରି କଥା କହିବି କାହାକୁ ଭାରି ।

 

ମନର ମରମେ ରହିଛି ଏକାକୀ

କପୋତ କପୋତୀ ପଛରେ ଯେବେ ବୁଲଇ ସଖି ।

ମଳୟ ଯାଇଛି ଥମି

ବିରହ ଯାଇଛି କମି ଏ କିପରି ନୂଆ ବିରହ

 

ଆଜି ଅନୁଭବେ ମୁହିଁ ।

ସଂସାରସାରା ଆଜି            କିଛି କୋଳାହଳ ନାହିଁ

ଦରଦୀ କେହି ଆସିଯିବେ ପରା

କହିବେ ମୋତେ ଘେନ ଏ ବକ୍ଷ ଦିଅ ମୋତେ ଧରା ।

 

ରାତ୍ରିର ଶେଷ            ନିଶା ଅବଶେଷ

ଆୟୁ ଆସେ ନିଃଶେଷ

ସ୍ଥବିର ସେହି      ଅବନତ ହୋଇ

ସୃଷ୍ଟିକର୍ତ୍ତାରେ ନମେ, ମାଗେ କରୁଣା ଅବଶେଷ ।

 

ପାଶେ ଅଛନ୍ତି ରହି

ଧାର୍ମିକ ପୁରୁଷ ସେହି

ବୃଦ୍ଧ ପାଶେ ଅଛନ୍ତି ରହି

ନତ ଅବନତ ବୃଦ୍ଧ ପାଶେ ଛିଡ଼ା ହୋଇ ।

 

ରାତ୍ରିର ଶେଷ ନିଶା ଅବଶେଷ

ପ୍ରସାରିତ କରୁଣା ଆଲୋକିତ ଅରୁଣା

ଦୀପ ଶେଷ, ନିଶା ଶେଷ ବୃଦ୍ଧ ଶେଷ ।

ଜୀବନଟି ଅଳପ  ମନ୍ଦେ ମନ୍ଦେ ଜଳପ

 

ଗୋଲାପ ପରି  ହୁଅ ସୁନ୍ଦର ଅମାପ

କାହାର କରୁଣା ପାଇ

କୁଞ୍ଜଲତା ସଜନୀ ଦେଇଛି ଫୁଟାଇ

ଦିଅଟି ଫୁଲ

 

ନାଲି ଟହଟହ ହସ ଭରା ଗାଲ ।

ଜୀବନ ବାଟରେ ଏକାକୀ ରହି

କାହାକୁ ଠାରଇ ନିତି ସେ ଯେ ଆସଇ

ଧନ୍ୟଟି ତାର ଜୀବନ

 

ଦୁଇ କୁଞ୍ଜ ଫୁଲ ସଜ ସରୋଜ ମଧୁର ଆନନ

ହସି ହସି ରହିଛି ଅନାଇ

ଯିବଚାଲି ଆଉ ଦି ଦିନ ଭାଇ

ମାତ୍ରକ ସେ ମୋର ସ୍ମୃତି ଭିତରେ ରହିବ ଯାଇଁ ।

 

କୁକୁର ହୋଇ ଜନ୍ମିଛି ମୁହିଁ

ନାହିଁ ତହିଁ ମୋର ଭାବନା

ସେବି ପାରେଁ ଯଦି ଗୋଟିଏ ଜନ

ସେହି ଜୀବନେ ଧନ୍ୟ ହେବି ସିନା ।

 

ଜଗତଯାକ ସୁନ୍ଦର ମଧୁର

ମଧୁର ଲୀଳା ଲାଗିଛି ଚାରିଆଡ଼

ମୁଁ ତହିଁରେ ମଧୁରେ ଖେଳିବି ସେବିବି ଜନ

ଏହି ମୋହର ଆନନ୍ଦ ଏହି ମୋହର କାମନା ଜାଣ ।

 

ଯାହାକୁ ଦେଖିଲେ ନୟନୁ ଗଳିବ ଜଳ

ଚରଣ ତାହାର ଧୋଇବି ମୁହିଁ ଅତି ସଯତନ ।

ପୋଛିବି ତାହା ଆପଣା ଶିର ଚିକୁରେ

ଅଛନ୍ତି ତହିଁ ଜାଣିବି ନିଶ୍ଚେ ମୋ ଠାକୁରେ ।

 

ସେବି ମାନବ ଜନ ସେବ ସକଳ ପ୍ରାଣୀ

ଏତିକି ମାତର ସାର ଜାଣ ସେବାକୁ ଧନ୍ୟ ମାନି ।

ଜାଗ୍ରତ କର ହେ ଭଗବାନ ଭାରତ ମୋର

ସୁଶୀଳ ପର ଉପକାରୀ କର ସବୁ ହିତକର

 

କର ସର୍ବେ ଭାରତେ ଗୁଣୀଗର୍ବେ ଦୃଢ଼ବ୍ରତଧାରୀ

ମାତୃଭୂମି ସେବାପାଇଁ ଆପଣାରେ ଦିଅନ୍ତୁ ବଳି ।

ବିଶ୍ୱ ମଧ୍ୟେ ଭାରତ ମୋର ରହୁ ମହାରାଣୀପରି ।

ଜାଗ୍ରତ କର ହେ ଭଗବାନ

 

ଭାରତ ମୋର ହେଉ ଆଗୁଆନ

କାମ କ୍ରୋଧ ଲୋଭ ସବୁ ହେଉ ଚୁନ୍‌ଚାନ

ନନ୍ଦନକାନନେ ହେଉ ଭରା ଭରୁ ସବୁ ମାନ

ମାତୃଭୂମିର କର ଭାଇ ସର୍ବେ ଗୁଣ ଗାନ

 

ସତ୍ୟ ପଥରେ ଉଠାଅ ହେ ଭଗବାନ

ଜାଗ୍ରତ କର ଭାରତ ମୋର ହେ ଭଗବାନ

ଯଶ ପତାକା ଧରି ଚାଲନ୍ତୁ ସଦା ଏହାରି ସନ୍ତାନ

ଆପଣା କର୍ମେ ଆଲୋକିତ କର ସକଳସଂସାର

 

ଉଠ ଯୁବକ ନ ରୁହ ଭାଇ ଚାହିଁ ଭକଭକ

ଲାଗିପଡ଼ କର କର ଶୀଘ୍ର ଏହି ଦେଶ ଉଦ୍ଧାର ।

ରଘୁପତି କୋଳେ, ରତିରତା ସୀତା ଅତ ଭୋଳେ

ରହିଥିଲେ ଯେବେ ମନେ କର ସର୍ବେ

 

ଆଜି ଜଙ୍ଗଲେ କଠିନ କଠୋର ବାହୁଡ଼ୋରେ

ରାମ ସହ ଦିଶନ୍ତି ଅଭିରାମ ଏବେ ।

କି ସ୍ତମ୍ଭିତେ, ଚକିତେ ସର୍ବେ କହିଲେ ବନ୍ଧୁବର

ଧନ୍ୟ ତୁମ୍ଭେ ଭାତୃ ସହିତେ ନ ହେଲ ଅନ୍ୟଥା

 

ସହଧର୍ମିଣୀ ସେହି ଏକାକିନୀ ରହି

ବିରହେ ଜାପିଲେ ଦିବସ ବର୍ଷ

କବି ରହିଲେ ନିର୍ବାକ, ଭାଷା ରହିଲା ରହି

ଧନ୍ୟ ସେ, ନାହିଁ ଦୁଃଖ ନାହିଁ ହର୍ଷ ।

 

ନିରତ ପାଠରତା ଯୁବତୀ ସେହି

ମନରେ ତାହାର ଆଉ କିଛି ଭାବନା ନାହିଁ ।

ସୁନ୍ଦର ଚିତ୍ତ ସାଗରେ ଭ୍ରମିଛି ଯେହୁ

କି ସୁଖ ଚାହିଁବ ବାହାରେ କାହାକୁ ଆଉ ।

 

ଜ୍ଞାନ କରେ ଆହରଣ ସୁନ୍ଦର ମଧୁର

ଦିନ ଦିନ ଯାଏ ଚାଲି ଅତି ସୁନ୍ଦର ।

ବିଧୁ ବିଧୁର ଚକୋଇ ଚକୋର ନାହିଁ ତହିଁ ପରା

କିଏ କହିବ ମନରେ ତାହାର କେବେ କି ଖେଳଇ ଧରା ।

 

ଯାହା ହେଉ ପଛେ ରତନ ମଣିଟି ଖୋଜଇ ରତନ

କରି ଆହା ଦିନ ରାତି କରି କେତେ ଯତନ ।

ପରମ ଆୟୁଷ ଜୀବନ ଶେଷ ହୋଇ ଯାଉଛି

ଧୀରେ ଧୀରେ ଅତି ଧୀରେ ଜୀବନ କେସନେ ଏବେ ହଲୁଛି ।

 

ହଲୁନାହିଁ ପରା ଯାଉଛି ଧୀରେ ଧୀରେ ସରିତ ସରି

ବିହଗୀଟି ହାତରେ ଧରି ବସିଛନ୍ତି ବୃଦ୍ଧ ସକଳ ବିସୋରି

ସନ୍ଧ୍ୟା ଆଗତ ଜୀବନ ଯିବତ ଶାନ୍ତ ସ୍ତବ୍ଧ ଏବେ ସକଳ

ଜୀବନ ଯାଏ ଧୀର ବହି କେହି ଏବେ ଭାଇ ନ ହୁଅ ବିକଳ ।

 

ଏହି ପଥେ ସଖି ! ଏହି ପଥେ ପ୍ରିୟା

ଦେଖା ଅଛଇ କେତେ ପ୍ରୀତି,

ଅଛଇ କେତେ ପୃଷ୍ପ କୋମଳ ହିୟା ।

ଅଛଇ କେତେ ବିଜନ ପକ୍ଷୀ

 

ଅନାଇ ରହିଛନ୍ତି ଜଗତ ସାକ୍ଷୀ

ଏହି ପଥେ ସଖି, ଜୀବନେ ଈକ୍ଷି

ତୁମ୍ଭେ ମୁହିଁ ହାତ ଧରାଧରି ହୋଇ

ଚାଲିବୁ ଏବେ ଅନନ୍ତମାର୍ଗେ

 

ରାଜ ସୁଖଠାରୁ ବଳି ଏହି ବିଜନ ବିପିନ ପଥ ବାଦନ ।

ହେବ ଗୋ ସଖି ଆସୁଥାଅ  ପ୍ରିୟେ ଉପରେ ଅଛି ଗଗନ

ନବଘନ ଶ୍ୟାମ ଦୁର୍ବାଦଳ ସରିତ ଜଳ

ଚିତ୍ତ ଆମ୍ଭର କରିବ ପୂର୍ଣ୍ଣ ପୂର୍ଣ୍ଣକୁମ୍ଭ ଜଳ ।

 

ସୁଖିନୀ ! ସୁହାସିନୀ ! ଧନ୍ୟ କରିଛ ଜୀବନ ଆପଣାର

ସୀବନେ ନିରତା ତୁମ୍ଭେ ଆଖିଟି ଉଜ୍ଜ୍ୱଳ ଦିଶୁଛି ମଧୁର

ସୂତ୍ରଟି ଲମ୍ବାଇ ଧରିଛ ହାତରେ

ଜୀବନ ସୂତ୍ର ତୁମ୍ଭର ଗୁନ୍ଥିଦିଅ ଜଗତ ସାଥିରେ ।

 

ଆସିଛ ଏଥି ସକଳ ସାଥି ପ୍ରେମେ ମାତି

ସୀବନେ ସୀବନେ ପୂରାଇବ ଆପଣା ଛାତି ।

ଈଶ୍ୱର ସୁନ୍ଦର, ଜଗତ ସୁନ୍ଦର

ସୁନ୍ଦର ସକଳ ଚାରିଆଡ଼

ତୁମ୍ଭର ଚିତ୍ତ ହେଉ ଚିର ମଧୁର

 

ରୁହ ତୁମ୍ଭେ ଚିର ସୁନ୍ଦର ।

ହସ୍ତି ଶୁଣ୍ଢରେ ଆସିଲ ଗର୍ଭରେ

ଚମକି ଉଠିଲେ ମାୟାଦେବୀ

ଜନମିବେ ବୁଦ୍ଧ ଜଗତର ପାଇଁ

 

ପ୍ରସନ୍ନ ସକଳେ ଦେବୀ ମାନବୀ

ଧରାରେ ଓହ୍ଲାଇଲେ ଆଜି ଗୌତମ ବୁଦ୍ଧ

ଉଠ ଉଠ ଜଗତବାସୀ ହୁଅ ଶୁଦ୍ଧ

ହସ୍ତି ଶୁଣ୍ଢେ ଏବେ ଦଣ୍ଡେ

 

ଆଜି ରାତ୍ରିରେ ଆଗମନ

ଧନ୍ୟ ଧରା ଧନ୍ୟ ସକଳ ଜନ ।

ଗୌତମ ବୁଦ୍ଧ କରିବେ ଶୁଦ୍ଧ

ଆସ ଆସ ସକଳେ ବହନ

 

ଚିତ୍ତ କରି ସୁନ୍ଦର ମୋହନ ।

ବିରହୋତ୍ କଣ୍ଠିତା ପୁଷ୍ପପୁତା

ଧ୍ୟାନରତା ଥିଲେ ତୁମ୍ଭେ ଜାଣେ ଜାଣେ

ଆସିଲେ ବିଧୁର ଜନ ଆପଣାର

 

ଫେରିଲେ ଦୁଃଖେ ଆପଣା ପଥେ ତେଣେ

ଭାବିଲ କେତେ ହାୟରେ ଯେତେ

ଏହି ଥିଲା ମୋର ଧରମେ

ଫେରିଲେ ସେହି ଆକୁଳ ହୋଇ

 

ଧରମ ମୋର ରହିଲା କାହିଁ

କି ସନ୍ଦେହେ ପଡ଼ିଲା ମନ

ଏବେ ଆଉ କହି ନୁହଇଁ ।

ଆଜି ଏତେ ଦିନେ ଧନ୍ୟ ମୁହିଁ

 

ସନ୍ତାନ ମୁଖକୁ ଚାହିଁ

ଆଜି ଏତେ ଦିନେ ଉଛୁଳି ଉଠିଛି

ସ୍ତନ ମୋହର ପ୍ରେମରେ ଭାଇ

ଦିଗନ୍ତ ଅଛନ୍ତି ଅନାଇ

 

ସନ୍ତାନ ମୋହର କ୍ରୋଡ଼ରେ ଥୋଇ

ଆଜି ଆଉ କାହାକୁ ଅନାଇବି ନାହିଁ

ଜୀବନ ଦେଇ ହଁ ଜୀବନ ଦେଇ

ପାଳିବି ମୁହିଁ

 

ସନ୍ତାନ ମୋର ଜନନୀର ବକ୍ଷେ

ସନ୍ତାନ ସର୍ବସ୍ୱ ଭାଇ ।

ନଝୁମ ରାତେ, ପ୍ରେମରେ ମାତି

କିଏ ସେ ଏବେ ସ୍ନାନ ଘରେ ଯାଏ

 

ସେତ ପରାଣ ମୋହର ଶୀତଳ କରେ

ତାକୁ ପାଇଲେ ଅନ୍ତର ପାଏ

ଶାନ୍ତିର ସେହି ମୂର୍ତ୍ତି ରହି

ପ୍ରେମର ଜ୍ୟୋତି ବିକିରେ ।

 

କର୍ଣ୍ଣରେ ତାହାର କାନ ଫୁଲ ଆଭରଣ

ଧ୍ରୁବ ତାରା ପରି ରହେ

ଅବା ଶୁକ୍ରପରି ଶୋହେ

ବୟସ ତାର ମଧ୍ୟ ବୟସ

 

କିଏସେ ତାର ନାଗର

ମୁହିଁ ତାର ହାତଧରିଥିଲି ବହୁ ଦିବସର

ବାଲ୍ୟରେ ଚମକିଥିଲା ବାଳା

ଏବେ ସେ ହୋଇଛି ଭୋଳା

 

ସେହି ମୋହର ଜୀବନ ଯୌବନ କଣ୍ଠହାର ।

ସ୍ୱାଗତ ସ୍ୱାଗତ ହଂସୀ ସୁତ ସ୍ୱାଗତ ସ୍ୱାଗତ

ଆଣିଛ ମୃଣାଳଦଣ୍ଡ ଚଞ୍ଚୁରେ ବୋହି

କି ବାର୍ତ୍ତା କୁହତ ମୋତେ ଅଛନ୍ତି କି ସେ ମୋହି

 

ଆସ ଆସ ପ୍ରେମର ସୁତ

ସୁନ୍ଦର ତୁମେ କୋମଳ ତୁମେ ମଧୁର ତୁମେ

ମଧୁର ଆଜି ପ୍ରାତ

ବୋଇଲେ ଏହା ରାଧା ଲଳିତା ସମ

 

ସଖୀ ଦୁଇ ବସିଥିଲେ ପ୍ରମୋଦ ବନେ ବିହ୍ୱଳେ

କମଳ କେତେ ଚାରିଆଡ଼େ ଯେତେ

ପୁଣି ହାତରେ ଧରିଛନ୍ତି ସରାଗେ କେତେ ।

ହଂସୀ ସୁତ ଦେଲା ପତ୍ର

 

କୋମଳ ମୃଣାଳଦଣ୍ଡେ ଲିଖିତ

ପ୍ରେମର ଦୁଇ ଚିହ୍ନ ରାଧାକୃଷ୍ଣ ଯୁଗଳ ସେତ

ହର୍ଷେ ପୁଲକ ସଂଜାତ ଗାତ୍ରେ

ଫେରଇ ମୃଣାଳ ଘେନି ସଂମତି ପତ୍ରେ ।

 

ବୀଣାପାଣି ମୋର ସରଗ ସୁଧା

ବୀଣାପାଣି ବୀଣାପାଣି

ସେ ଯେ ମୋର ଚିର ଆରାଧ୍ୟା ।

ପଦ୍ମବନେ ଖେଳଇ ସେହି ବନଦେବୀ

 

ଆପଣା ମନେ ବୀଣା ବାଦି

କେହି ନାହାନ୍ତି ଯହିଁ ବନଦେବୀ ତହିଁ

ଖେଳନ୍ତି ବାଆନ୍ତି ଆପଣା ମନେ ଯଦି

ତୁମେ କାହିଁକି ନ କର ତାହା ଭାଇ

 

ଶୂନ୍ୟ ରାତିରେ ସକଳ ଛାତିରେ

ନିଦ୍ରା ପୂରିଛି ଯେବେ

ଉଠ ଉଠ ଆହେ ଭକତ

ବନଦେବୀ ସହ ବିପଞ୍ଚୀ ବଜାଇ

 

ମଧୁର ତାନେ ଡାକ ହେ ଏବେ ।

ଜୀବନ ହାଟର ସଉଦା ସବୁ ଏଥର ଓହ୍ଲାଇଦିଅ

ନିଶ୍ୱାସ ମାରି ସୁଖରେ ଭରି ଏଥର ସ୍ମରଗେ ରହ ।

ସଂଧ୍ୟାର ମୁଖେ ତାରାଟି ଫୁଟେ

 

ହସଟି କି ତୁମର ନ ଫୁଟିବ ଗୋଟେ ।

ଜୀବନଟି ସାରା ଖଟିଛି ଅତି ଭାରା

ଏଥର ମୁକ୍ତ ହୋଇ ସକଳ ଛାଡ଼ିଦେଇ ଆସ ତ୍ୱରା ।

ଜୀବନ ବୋଝ ରଖିଦିଅ ଆଉ

 

ଚାଲ ମରୁଭୂମି ପଥେ

ଖୋଜିବା ଯହିଁ ଅଛି ଜଳ

ଜଳ ଦିଅନ୍ତି ଯେହୁ ।।

ଅଶୋକ ବନେ ବନ୍ଦିନୀ ସୀତା ଆପଣା ମନେ

 

ଗୁଣୁଛନ୍ତି ସେହି କେତେ କି କଥା କିଏ ଜାଣେ

ଅଶୋକ ତାଙ୍କର ଶୋକ ପାସୋରି ଦିଏ

ହାୟରେ ଅଶୋକ ସ୍ତବକ ତୁମର ତାଙ୍କରି ପରେ ଝରେ ।

ତେବେତ ତୁମେ ମହା ଅନୁଭୂତି ଭରା

 

ଜଗତଯାକ କେହି ନ ପଚାରୁ

ସୀତା ରହିବେ ଅଶୋକ ବୃକ୍ଷ ସାଥେ

ଚିରକାଳ ଯେତେ ପଛେ ହୃଦୟ ଥରୁ

ହନୁମାନ ଯେବେ ଆସିବ ସନ୍ଦେଶ ବହି

ମୁକ୍ତି ଯେବେ ହେବ ରାମ ଆସିବେ ପତି ସେହି ।

 

ସମାପ୍ତ